କନକ ବ୍ୟୁରୋ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟ ପରେ  ଆକ୍ସନ ମୋଡରେ ଈଉଉଓ । କାହିଁକି ଓ କଣ ପାଇଁ ଘରୋଇ ମାଟିରେ ମାଟି କାମୁଡିଲା ଟିମ୍ ଇଣ୍ଡିଆ ତାହାର ହେବ ପୋଷ୍ଟମର୍ଟମ । ପରାଜୟର କାରଣ ରଖିବେ ଟିମ ଇଣ୍ଡିଆର ହେଡ କୋଚ ଗୌତମ ଗମ୍ଭୀର । ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟକୁ ଭାରତୀୟ କ୍ରିକେଟ ପ୍ରେମୀ ସହଜରେ ହଜମ କରିପାରିନଥିନା ବେଳେ, ଆଗକୁ ଆସୁଥିବା ବର୍ଡର-ଗାଭାସ୍କର ଟ୍ରଫିରେ ରୋହିତ ସେନାର ପ୍ରଦର୍ଶନକୁ ନେଇ ଆଶା ଆଶଙ୍କାରେ କ୍ରିକେଟ ପ୍ରେମୀ  । 

Advertisment

ନିଜ ମାଟି ନିଜ ପିଚ ଆଉ ନିଜ କଣ୍ଡିସନରେ ଫେଲ ମାରିଲେ ଭାରତୀୟ ବ୍ୟାଟର ମାନେ। କିୱି ସ୍ପିନରଙ୍କୁ ଖେଳିବାରେ ଅସମର୍ଥ ହେଲେ ଟପ-ଅର୍ଡର । ଫେଲ ମାରିଲେ କିଙ୍ଗ କୋହଲି ଆଉ ହିଟ ମ୍ୟାନଙ୍କ ବ୍ୟାଟରୁ ବାହାରିଲାନି ରନ । ଡ୍ରେସିଂ ରୁମରେ ଚାଲିଥିଲା କଣ ? ୩-୦ରେ ହାରିବା ପଛରେ ରହିଛି କାହାର ହାତ ? କୋଚ ନେଉଥିଲେ କି ଏକାକୀ ଡିସିସନ୍? କୋଚ ଗମ୍ଭୀରଙ୍କୁ ପରାଜୟର କାରଣ ପଚାରିବ ବିସିସିଆଇ । 

ରୋହିତ ଶର୍ମାଙ୍କ ନେତୃତ୍ତ୍ବରେ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୩-୦ରେ ପରାଜୟ ବରଣ କରିଥିଲା ଏବେ ଏହି ପରାଜୟର କାରଣ ଖୋଜା ଚାଲିଛି ।ଟେଷ୍ଟରେ ବେଷ୍ଟ କହୁଯାଉଥିବା ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଏପରି ଚିଟପଟାଙ୍ଗ ହେବ କେହି କେବେ ଭାବିନଥିଲେ । ଗମ୍ଭୀର କୋଚ ହେବା ପରେ ଭାରତ ୨୭ବର୍ଷପରେ ଶ୍ରୀଲଙ୍କା ଠାରୁ ଦିନିକିଆ ସିରିଜରେ ପରାଜୟ ବରଣ କରିଥିଲା ଆଉ ଏବେ ନିଉଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ସବୁ ମ୍ୟାଚ ହାରି ବିଶ୍ବ ଟେଷ୍ଟ ଚାମ୍ପିୟନସିପ ତାଲିକାରେ ପ୍ରଥମ ସ୍ଥାନରୁ ଦ୍ବିତୀୟ ସ୍ଥାନକୁ ଖସିଛି ।

ଫେଲ ମାରିଲେ ରୋହିତ-ବିରାଟ
ସ୍ପିନ ଖେଳିପାରୁନାହାନ୍ତି ଟପ ଅର୍ଡର

ସିରିଜ ଆରମ୍ଭ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ବି ଭାବିନଥିବ ଭାରତ ଏପରି ପ୍ରଦର୍ଶନ କରିବ । ବାଂଲାଦେଶ ବିପକ୍ଷ ଟେଷ୍ଟରେ  ଭାରତର ବ୍ୟାଟିଂ ଆଉ ଖେଳିବାର ଆଭିମୁଖ୍ୟକୁ ବିଶ୍ବବ୍ୟାପି ପ୍ରସଂଶା କରାଯାଇଥିଲା ହେଲେ କିୱି ଦଳ ସବୁ ବିଭାଗରେ ଭାରତ ଉପରେ ଭାରି ପଡିଥିଲେ । ଦୁଇ ଅଭିଜ୍ଞ ବ୍ୟାଟର କୋହଲି ଓ ରୋହିତ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ବୋଲର ମାନେ ଭଲ ପ୍ରଦର୍ଶନ କରଥିବା ବେଳେ ବ୍ୟାଟର ମାନଙ୍କ ସହଯୋଗ ଦଳକୁ ମିଳିନଥିଲା । 

ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟରେ ବିଜୟୀ ,ଦ୍ବିତୀୟ ଟେଷ୍ଟ ପୁଣେରେ ନ୍ୟୁଜିଲ୍ୟାଣ୍ଡ ୧୧୩ରନରେ ବିଜୟୀ ,ତୃତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ୨୫ରନରେ ବିଜୟୀ । ମୁମ୍ବାଇ ପରାଜୟ ପରେ ଗୋଟେ କଥା ସ୍ପଷ୍ଟ ଯେ ଟିମ୍ ରେ ସବୁକିଛି ଠିକ ଚାଲି ନାହିଁ । କ୍ୟାପଟେନ ଓ କୋଚଙ୍କ ଭିତରେ ବିବାଦ ଥିବା ମନେହେଉଛି ହେଲେ ଆଗକୁ ରହିଛି ବଡ ପରିକ୍ଷା ଅର୍ଥାତ ବର୍ଡର-ଗାଭାସ୍କର ଟ୍ରଫି ଯାହା ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବ ।