କନକ ବ୍ୟୁରୋ: ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ୧୨ ବର୍ଷ ପରେ ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ହାତେଇବାରେ ସଫଳ ହୋଇଛି । ଫାଇନାଲ ମ୍ୟାଚ୍ରେ ଭାରତ, ନ୍ୟୁଜିଲାଣ୍ଡ ଦଳକୁ ୪ ୱିକେଟ୍ରେ ପରାଜିତ କରିଥିଲା । ଏହାସହିତ ଭାରତ ସମୁଦାୟ ୩ଟି ଚାମ୍ପିୟନ୍ସ ଟ୍ରଫି ଜିତିଛି । ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଖେଳାଳି ଅନେକ ମାଇଲଷ୍ଟୋନ୍ ଛୁଇଁଛନ୍ତି, ନୂଆ ରେକର୍ଡ ସୃଷ୍ଟି ହୋଇଛି । ଏହା ସହିତ ଗୌତମ ଗମ୍ଭୀର ମଧ୍ୟ ଏକ ଅନନ୍ୟ ରେକର୍ଡର ଅଧିକାରୀ ହୋଇଛନ୍ତି । ଦୁବାଇରୁ ଫେରି ଗୌତମ ଗମ୍ଭୀର ଦିଲ୍ଲୀ ବିମାନବନ୍ଦରରେ ଟିମ୍ ଇଣ୍ଡିଆ ଚାମ୍ପିୟନ ହେବାପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ।
ଚାମ୍ପିୟନ୍ସ ଟ୍ରଫିରେ ସଫଳ ଅଭିଯାନ ପରେ, ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍ ଗୌତମ ଗମ୍ଭୀର ଦୁବାଇରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ । ସାମ୍ବାଦିକଙ୍କ ପ୍ରତିକ୍ରିୟାରେ ସେ ଚାମ୍ପିୟନ୍ସ ଟ୍ରଫି ସମ୍ପର୍କରେ ପ୍ରତିକ୍ରିୟା ଦେଇ ଗୌତମ ଗମ୍ଭୀର କହିଛନ୍ତି, “ମୁଁ ବହୁତ ଖୁସି, କାରଣ ସାରା ଦେଶ ଖୁସିରେ ଅଛି ।"
ବୁଧବାର ଅପରାହ୍ନରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବିମାନବନ୍ଦରରେ ପହଞ୍ଚିଥିଲେ, ଏହି ସମୟରେ ଅନେକ ପ୍ରଶଂସକ ତାଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଥିଲେ । ଏହି ସମୟରେ ଜଣେ ପ୍ରଶଂସକ ଗମ୍ଭୀରଙ୍କୁ ଭଗବାନ ରାମଙ୍କ ଏକ ପ୍ରତିମୂର୍ତ୍ତି ଉପହାର ସ୍ୱରୂପ ଦେଇଥିଲେ । ଗମ୍ଭୀର ଶ୍ରଦ୍ଧାର ସହ ଏହି ଉପହାରକୁ ଗ୍ରହଣ କରିଥିଲେ ।
ଗୌତମ ଗମ୍ଭୀରଙ୍କ ନାଁରେ ଅନନ୍ୟ ରେକର୍ଡ
ଗୌତମ ଗମ୍ଭୀର ଜଣେ ଖେଳାଳି ଏବଂ ଜଣେ ପ୍ରଶିକ୍ଷକ ଭାବରେ IPL ଟାଇଟଲ ଜିତିଥିଲେ । ଏବେ ସେ ଖେଳାଳି ଏବଂ ପ୍ରଶିକ୍ଷକ ଭାବରେ ଆଇସିସି ଟ୍ରଫି ମଧ୍ୟ ଜିତିଛନ୍ତି । ସେ ଏପରି କାରନାମା କରିବାରେ ପ୍ରଥମ ଖେଳାଳି ହୋଇ ପାରିଛନ୍ତି ।
ଚାମ୍ପିୟନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ତିନୋଟି ମ୍ୟାଚ୍ ଜିତିଥିଲା । ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାଜିତ କରି ଫାଇନାଲରେ ପହଞ୍ଚିଥିଲା ଟିମ୍ ଇଣ୍ଡିଆ । ପ୍ରତ୍ୟେକ ମ୍ୟାଚ୍ରେ ବିଜୟୀ ହେବା ଟିମ୍ ଇଣ୍ଡିଆ ପାଇଁ କଷ୍ଟକର ଥିଲା । ଫାଇନାଲରେ ବି ଭାରତ ଟ୍ରଫି ଜିତିବା ପାଇଁ କମ୍ କଷ୍ଟ କରିବାକୁ ପଡ଼ି ନଥିଲା ।
Follow Us