କନକ ବ୍ୟୁରୋ: ତେଲେଙ୍ଗାନାର ସିଗାଚି ଫାର୍ମାସିଟିକାଲ କମ୍ପାନୀରେ ଗ୍ୟାସ ଟାଙ୍କି ଫାଟିବା ଘଟଣାରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗଞ୍ଜାମର ଜଗନମୋହନ, ତିଗିରିଆର ଲଗ୍ନଜିତ ଦୁଆରି, ବାଲେଶ୍ଵରର ମନୋଜ ରାଉତ ଓ ଯାଜପୁରର ଦୋଳଗୋବିନ୍ଦ ସାହୁ । ଏହି ଦୁର୍ଘଟଣାରେ ୪ ଓଡ଼ିଆ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ମାଦିନାଗୁଡ଼ାର ପ୍ରଣାମ ହସ୍ପିଟାଲରେ ସମସ୍ତେ ଭର୍ତ୍ତି ହୋଇଛନ୍ତି । ଏବେବି ୨୨ ଜଣ ଶ୍ରମିକଙ୍କ ପତ୍ତା ମିଳୁନାହିଁ । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସ୍ଡି ପ୍ରିତୀଶ ପଣ୍ଡା ଏବଂ ଚନ୍ଦ୍ରଶେଖର ହୋତା ଘଟଣାସ୍ଥଳରେ ପହଞ୍ଚି ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ଗତ ସୋମବାର ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରଦେ ପଶାମାଇଲାରାମ ଶିଳ୍ପାଞ୍ଚଳରେ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଥିଲା । ସିଗାଚି ଇଣ୍ଡଷ୍ଟ୍ରିଜ୍ ନାମକ ଏକ କାରଖାନାରେ ଏହି ବିସ୍ଫୋରଣ ଘଟିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୩୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ।
ସୂଚନା ଅନୁଯାୟୀ, ସୋମବାର ସକାଳ ୮.୧୫ରୁ ୯.୩୫ ମଧ୍ୟରେ କାରଖାନାରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ସେଠାରେ ଉପସ୍ଥିତ ୯୦ ଜଣ କର୍ମଚାରୀ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲେ । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯାଇଥିଲା ଏବଂ ଏହାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା । ଦୁର୍ଘଟଣା ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା ।
ଘଟଣା ପରେ ତୁରନ୍ତ NDRF, SDRF ପୁଲିସ ଏବଂ ଅଗ୍ନିଶମ ବାହିନୀର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁ ଲିଭାଇବାରେ ୧୧ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ନିଆଁକୁ ନିୟନ୍ତ୍ରଣ କରିବା ଏବଂ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ରୋବୋଟ୍ ମଧ୍ୟ ନିୟୋଜିତ କରାଯାଇଥିଲା । ଉଦ୍ଧାର କାର୍ଯ୍ୟ ମଙ୍ଗଳବାର ପର୍ଯ୍ୟନ୍ତ ଜାରି ରହିଥିଲା । ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା । ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରାରମ୍ଭିକ ମୃତ୍ୟୁ ସଂଖ୍ୟା ୧୨ ଥିଲା, କିନ୍ତୁ ଉଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବା ସହିତ ସଂଖ୍ୟା ବୃଦ୍ଧି ପାଇଛି ।