କନକ ବ୍ୟୁରୋ : ବର୍ଷ ବର୍ଷ ଧରି ବହୁ ପୁରାତନ ଏସସିବି ମେଡିକାଲ ରେକର୍ଡ ରୁମ୍ ଭୂତକୋଠି ଭଳି ପଡି ରହିଥିବା ବେଳେ ପୂର୍ବ ରାଜ୍ୟ ସରକାର ମଧ୍ୟ ଏଦିଗରେ ଦୃଷ୍ଟି ଦେଇ ନ ଥିଲେ ତେଣୁ ପ୍ରଶ୍ନ ଉଠୁଛି, ଏସ୍‌ସିବି ରେକର୍ଡ ରୁମ୍‌ରେ ସବୁ ରେକର୍ଡ ସୁରକ୍ଷିତ ଅଛି ତ ?

Advertisment

କବାଟ ଭଙ୍ଗା, ଝରକା ଖୋଲା । ପାଣି ଖାଇ ବତୁରି ଗଲାଣି କାଗଜପତ୍ର । ଜଗିବାକୁ କେହି ନାହିଁ । ଯୁଆଡେ ଦେଖିଲେ ଗଦାଗଦା କାଗଜ ବିଡ଼ା ପଡ଼ିଛି । ଅଳିଆ ଗଦା ଭଳି ଦେଖାଯାଉଛି କଟକ ବଡ଼ ଡାକ୍ତରଖାନାର ରେକର୍ଡ ରୁମ୍ । ପ୍ରତିଦିନ ୧ ହଜାରରୁ ଅଧିକ ରେକର୍ଡ ଡାକ୍ତରଖାନାର ବିଭିନ୍ନ ବିଭାଗରୁ ଆସୁଛି । ସେଗୁଡ଼ିକୁ ଥାକ କରି ରଖାଯାଉଛି । ବର୍ଷବର୍ଷ ଧରି ରହିବା ପରେ ଏଭଳି ସମସ୍ୟା ଦେଖାଯାଉଥିବା କହିଛନ୍ତି ଏସସିବି ମେଡିକାଲ ପ୍ରାଶାସନିକ ଅଧିକାରୀ ।

ତହସିଲଠାରୁ ଆରମ୍ଭ କରି ବିଚାର ବିଭାଗୀୟ ଅଦାଲତ ପର୍ଯ୍ୟନ୍ତ, ସବୁଠି ରେକର୍ଡକୁ ଡିଜିଟାଇଜେସନ୍‌ କରାଯାଇଛି । କିନ୍ତୁ ୧୯୮୪ରୁ ଆରମ୍ଭ ହୋଇଥିବା ରେକର୍ଡ ରୁମ୍ ଆଜି ଯାଏଁ ଡିଜିଟାଇଜେସନ୍ ହୋଇପାରିନି । ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ରେକର୍ଡ ରୁମ୍‌ ଡାଟା କାପାସିଟି ମଧ୍ୟ ବଢୁଛି । ତେଣୁ ରେକର୍ଡ ରୁମ୍ ଡିଜିଟାଇଜେସନ ନିହାତି ଆବଶ୍ୟକ । ଏନେଇ ପୂର୍ବ ସରକାର ସମୟରେ ଚିଠି ଲେଖା ଯାଇଥିଲେ ସୁଦ୍ଧା ପଦକ୍ଷେପ ନିଆଯାଇନାହିଁ ।

ବିଭିନ୍ନ ଦୁର୍ଘଟଣା ହେଉ କି ଅପରାଧିକ କାର୍ଯ୍ୟକଳାପରେ ଗିରଫ ହୋଇଥିବା ବ୍ୟକ୍ତି ଚିକିତ୍ସା ପାଇଁ ଏସସିବିକୁ ଆସିଥାନ୍ତି । ତାଙ୍କୁ ରେକର୍ଡ ଏହି ରୁମ୍‌ରେ ରଖାଯାଏ । ଯଦି ଅଳିଗଦାରେ ସେ କାଗଜପତ୍ର ନଷ୍ଟ ହୋଇଯାଏ କି ହଜିଯାଏ ତେବେ, ଅଦାଲତରେ ଗଡ଼ୁଥିବା ମାମଲା ପରିଚାଳନାରେ ବିଳମ୍ବ ହେବା ସହ ସମସ୍ୟା ଉପୁଜିବ ବୋଲି କହିଛନ୍ତି ଆଇନ୍‌ଜୀବୀ ।

୧୯୯୯ ମହାବାତ୍ୟାରେ ରେକର୍ଡ ରୁମ୍ ଭାଙ୍ଗି ଯାଇଥିଲା । ପରେ ୨୦୧୯ରେ ଅଗ୍ନିକାଣ୍ଡରେ ଅନେକ ରେକର୍ଡ ନଷ୍ଟ ହୋଇଯାଇଛି । ଆଉ ଏବେ ଅଳିଆ ଗଦା ଭଳି ପଡିଥିବା ଏସସିବି ରେକର୍ଡ ରୁମ୍‌ର ଡିଜିଟାଇଜେସନ ନିତ୍ୟାନ୍ତ ଆବଶ୍ୟକ ।