କନକ ବ୍ୟୁରୋ : ଟ୍ରାଭେଲ୍ ସମୟରେ ଆମେ ଅନେକ ଖାଦ୍ୟପଦାର୍ଥ ଖାଇ ତା’ର ଜରିକୁ ବାହାରେ ଫୋପାଡ଼ି ଦେଇଥାଉ । ଏଥିରେ ପରିବେଶ ତ ପ୍ରଦୂଷଣ ହୁଏ ସଫେଇ କର୍ମଚାରୀଙ୍କୁ ବି ନାହିନଥିବା ହଇରାଣର ସମ୍ମୁଖିନ ହେବାକୁ ପଡ଼େ । ତେବେ ବର୍ତ୍ତମାନ କାର୍ କିମ୍ବା ବାଇକରେ ବସି ଯଦି ଆପଣ ବାହାରକୁ ଅଳିଆ ଫୋପାଡୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ କାରଣ ଏବେ ଆଉ ରକ୍ଷା ନାହିଁ । ସିଧା ଘରକୁ ଆସିବ ଚାଲାଣ,ସେ ବି ଏମିତି ସେମିତି ନୁହେଁ ମୋଟା ଅଙ୍କର ଫାଇନ୍ । ତେବେ ଏଭଳି ନୂଆ ନିୟମ ଆଉ କେଉଁଠି ନୁହେଁ ଉତ୍ତରପ୍ରଦେଶର ବରେଲି ସହରରେ ଲାଗୁ ହେବାକୁ ଯାଉଛି । ଏବେ ସହରର ରାସ୍ତାରେ ଯଦି ଆପଣ ନିଜ କାର, ବାଇକ କିମ୍ବା ଅନ୍ୟ ଯାନରୁ ଅଳିଆ ଫୋପାଡ଼ନ୍ତି, ତେବେ ଏହାର ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ । ଏହି ଚାଲାଣ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର (ଆଇସିସିସି) ରୁ କଟାଯିବ ଏବଂ ଏହାର ସୂଚନା ମୋବାଇଲ ନମ୍ବରକୁ ଫଟୋ ସହିତ ପଠାଯିବ । ନଗର ନିଗମ ଏହି ପଦକ୍ଷେପ ସିଟିଜ ୨.୦ ଯୋଜନା ଅଧୀନରେ ଉଠାଇଛି ।
/filters:format(webp)/kanak/media/media_files/2025/09/24/car-garbege-2025-09-24-17-05-28.jpeg)
ଏଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ୮୬ କୋଟି ଟଙ୍କାର ବଜେଟ୍ ଅନୁମୋଦିତ ହୋଇସାରିଛି । ନଗର ନିଗମର କହିବା କଥା ଯେ ଏହି ବ୍ୟବସ୍ଥା ସହରକୁ ସ୍ୱଚ୍ଛ କରିବା ଏବଂ ଲୋକଙ୍କୁ ରାସ୍ତାରେ ଅଳିଆ ଫୋପାଡ଼ିବାରୁ ରୋକିବା ପାଇଁ କରାଯାଉଛି । ଏପର୍ଯ୍ୟନ୍ତ ଏହି ଚାଲାଣ ରାସ୍ତାରେ ନିୟୋଜିତ କର୍ମଚାରୀ କିମ୍ବା ପୁଲିସର ଉପସ୍ଥିତିରେ ହିଁ ହେଉଥିଲା କିନ୍ତୁ ଏବେ ହାଇଟେକ୍ କ୍ୟାମେରାର ନଜର ପ୍ରତ୍ୟେକ ଗାଡ଼ି ଉପରେ ରହିବ । ଆଇସିସିସି ଅଧୀନରେ ସହରର ପ୍ରମୁଖ ଛକ ଏବଂ ବିଭିନ୍ନ ସ୍ଥାନରେ ୧୩ ମିଟର ଉଚ୍ଚତାରେ କ୍ୟାମେରା ଲଗାଯାଇଛି । ଏହି କ୍ୟାମେରା ପ୍ରତ୍ୟେକ ଗାଡ଼ିର ଗତିବିଧି ଉପରେ ନଜର ରଖିବ । ଯଦି କୌଣସି ଯାନରୁ ଅଳିଆ ରାସ୍ତାରେ ଫୋପଡ଼ାଯାଏ, ତେବେ କ୍ୟାମେରାରେ ତାହାର ଫଟୋ କଏଦ ହୋଇଯିବ । ଏହା ପରେ ଯାନର ନମ୍ବର ଟ୍ରେସ୍ କରି ସିଧା ଚାଲାଣ କଟାଯିବ । ଏହି ଚାଲାଣ ଗାଡ଼ି ମାଲିକଙ୍କ ମୋବାଇଲ ନମ୍ବରକୁ ପଠାଯିବ । ନୂତନ ବ୍ୟବସ୍ଥାରେ ଚାଲାଣ ଗାଡ଼ି ମାଲିକଙ୍କ ନାମରେ ହିଁ କଟାଯିବ । ଅର୍ଥାତ ଯଦି ଆପଣଙ୍କ ଗାଡ଼ିରୁ ଅନ୍ୟ କେହି ଅଳିଆ ଫୋପାଡ଼େ ତେବେ ବି ଚାଲାଣ ଆପଣଙ୍କ ଉପରେ ହିଁ ଆସିବ । ଏପରିସ୍ଥଳେ ଯେଉଁ ଗାଡ଼ି ମାଲିକମାନଙ୍କ ପାଖରେ ଡ୍ରାଇଭର ଅଛନ୍ତି କିମ୍ବା ଯେଉଁମାନେ ନିଜ ଗାଡ଼ି କୌଣସି ପରିଚିତଙ୍କୁ ଦିଅନ୍ତି । ସେମାନଙ୍କୁ ପୂର୍ବରୁ ହିଁ କହିବାକୁ ପଡ଼ିବ ଯେ ରାସ୍ତାରେ ଅଳିଆ ନ ଫୋପଡ଼ାଯାଉ ।
ସିଟିଜ 2.0 ଯୋଜନା ଅଧୀନରେ ନଗର ନିଗମ ବରେଲି ସହରର ସମସ୍ତ ୮୦ ୱାର୍ଡକୁ ସ୍ୱଚ୍ଛ କରିବାର ଦାୟିତ୍ୱ ଉଠାଇଛି । ଗୋଟିଏ ପଟେ ଯେଉଁଠାରେ ରାସ୍ତାରେ ସଫେଇ କର୍ମଚାରୀ କଠିନ ପରିଶ୍ରମ କରିବେ । ଅନ୍ୟ ପଟେ ଆଇସିସିସିରୁ ଲଗାତାର ନିରୀକ୍ଷଣ କରାଯିବ । ଏହାଦ୍ବାରା ଲୋକମାନେ ଅଳିଆ ଫୋପାଡ଼ିବା ପୂର୍ବରୁ ଦୁଇଥର ଭାବିବେ । କାରଣ ଚାଲାଣ ସିଧା ମୋବାଇଲରେ ଫଟୋ ସହିତ ପହଞ୍ଚିବ । ନଗର ନିଗମ ଏହି ବ୍ୟବସ୍ଥାର ଡ୍ରାଫ୍ଟ ପ୍ରସ୍ତୁତ କରିସାରିଛି ଏବଂ ଶୀଘ୍ର ଏହାକୁ ଚୂଡ଼ାନ୍ତ ରୂପ ଦେଇ ଲାଗୁ କରିଦିଆଯିବ । ତେବେ ଆପଣଙ୍କୁ କ’ଣ ଲାଗୁଛି ଏଭଳି ବ୍ୟବସ୍ଥା ଓଡ଼ିଶାରେ ଲାଗୁ କଲେ କେମିତି ହୁଅନ୍ତା ?