କନକ ବ୍ୟୁରୋ: ଅନୁଗୁଳ ବଅଁରପାଳ ବସଷ୍ଟାଣ୍ଡ ଓ ଏହାର ଆଖପାଖ ଅଞ୍ଚଳର ଚାରିଆଡ଼େ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିରହିଛି । ମ୍ୟାଲେରିଆ ଓ ଡେଙ୍ଗୁ ବୃଦ୍ଧି ପାଇଁ ମଶା ବଂଶ ଯେମିତି ଅନାଇ ବସିଛନ୍ତି ଏହି ଆବର୍ଜନା । ବଅଁରପାଳରେ ମ୍ୟାଲେରିଆରେ ୧୨ଜଣ ଆକ୍ରାନ୍ତ ହୋଇଛନ୍ତି । ଆଠମଲ୍ଲିକ, ପାଲଲହଡ଼ା ଓ ଖଣି ପ୍ରବଣ ତାଳଚେରରେ ସ୍ଥିତି ମଧ୍ୟ ସାଙ୍ଘାତିକ । ସେହିଭଳି କନ୍ଧମାଳ ଓ ରାୟଗଡ଼ାରେ ବି ଘରେ ଘରେ ମ୍ୟାଲେରିଆ ବ୍ୟାପିଲାଣି । ସେହିଭଳି ସହରାଞ୍ଚଳରେ ଆତଙ୍କ ଖେଳାଉଛି ଡେଙ୍ଗୁ । ଗତବର୍ଷ ଅପେକ୍ଷା ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଛି । କେବଳ ଭୁବନେଶ୍ବରରେ ଏଯାଏ ୨୦୮ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ୫ଟି ଡେଙ୍ଗୁ ହଟସ୍ପଟକୁ ଚିହ୍ନଟ କରିଛି ବିଏମସି । ଡେଙ୍ଗୁ ଦମନ ବଡ ଚ୍ୟାଲେଞ୍ଜ୍ ହୋଇଛି ।
- ଥଣ୍ଡାରେ ଖୁଁ ଖୁଁ, ଜ୍ୱରରେ ଥରୁଛନ୍ତି ଲୋକ
- ଜଣ୍ଡିସ୍ ବଢ଼ାଉଛି ଟେନସନ୍
ଋତୁ ପରବର୍ତ୍ତନରେ ଘରେ ଘରେ ଏବେ ଜ୍ବର ବ୍ୟାପିଛି । ଥଣ୍ଡା, ଜ୍ବର ଓ କାଶରେ ଲୋକେ ଆକ୍ରାନ୍ତ ହେଉଛନ୍ତି । ସମ୍ବଲପୁରରେ ପ୍ରତିଦିନ ମୁଖ୍ୟ ଚିକିତ୍ସାଳୟକୁ ୮୦୦ରୁ ୯୦୦ ଜ୍ବରରେ ଆକ୍ରାନ୍ତ ଆସୁଛନ୍ତି । ମାଲକାନଗିରିରେ ପ୍ରତିଦିନ ଶତାଧିକ ଜ୍ବର ଆକ୍ରାନ୍ତ ହସ୍ପିଟାଲକୁ ଆସୁଛନ୍ତି । ବାଲେଶ୍ବରରେ ବହୁ ସଂଖ୍ୟାରେ ରୋଗୀ ଆସୁଥିବାବେଳେ କିଛି ଲୋକ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି ।
ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକରେ ଜଣ୍ଡିସ ଆତଙ୍କ ଦେଖାଦେଇଛି । ଗାଁରେ ୭ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଦୂଷିତ ପାଣି ଜଣ୍ଡିସର ମୁଖ୍ୟ କାରଣ ବୋଲି କୁହାଯାଉଛି । ସେହିଭଳି ବଡମ୍ବା ବ୍ଲକରେ ଜଣ୍ଡିସ କାୟା ମେଲାଇଛି ।୧୪ ଜଣ ଜଣ୍ଡିସ ଆକ୍ରାନ୍ତ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଥଣ୍ଡା, ମ୍ୟାଲେରିଆ ଓ ଜଣ୍ଡିସ ହେଲେ ସାଙ୍ଗ ସାଙ୍ଗେ ଡାକ୍ତରଙ୍କୁ ପରାମର୍ଶ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।