କନକବ୍ୟୁରୋ : ପୁରୀ-କୋଣାର୍କ ହେବେ ଡମ୍ପିଂୟାର୍ଡ ଫ୍ରି । ଗୋପରେ ନିର୍ମାଣ ହେବ ବାୟୋ ଗ୍ୟାସ୍ ପ୍ଲାଣ୍ଟ ସହ ମେଗା ଏମସିସି । ଓଦା ବର୍ଜ୍ୟକୁ ବାୟୋ ଗ୍ୟାସ୍ରେ ରୂପାନ୍ତର କରିବ ୧୦ଏକର ଜମିରେ ହେବାକୁ ଥିବା ଏହି ପ୍ଲାଣ୍ଟ । ଲିଗାସି ୱେଷ୍ଟ ବା ପୁରୁଣା ବର୍ଜ୍ୟ ଜମା ହେବା ପୂର୍ବରୁ ବର୍ଜ୍ୟ ପରିଚାଳନା ଉପରେ ସରକାରଙ୍କ ଫୋକସ ।…
ବାୟୋ ଗ୍ୟାସ୍ ପ୍ଲାଣ୍ଟ ପାଇଁ ଅଏଲ ଇଣ୍ଡିଆ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର । ଏହି ପ୍ଲାଣ୍ଟ ଦିନ ପିଛା ୧୦୦ ଟନ୍ ଆବର୍ଜନା ପରିଚାଳନା କରିବ । ଏହାଫଳରେ ବଳିଆପଣ୍ଡା ସହ ପୁରୀର ଅନେକ ଲୋକ ଆଶ୍ବସ୍ତ ହେବେ । ଖାଲି ପୁରୀ ନୁହେଁ କୋଣାର୍କ ବାସିନ୍ଦା ବି ଉପକୃତ ହେବେ । ଗୋପର ନଲିହାନାରେ ଏନେଇ ଜାଗା ଚିହ୍ନଟ ହୋଇଛି ।
ଏବେ ପୁରୀ ସହରରୁ ଦିନକୁ ୫୦ରୁ ୫୫ ଟନ୍ ଓଦା ବର୍ଜ୍ୟବସ୍ତୁ ବାହାରୁଛି । କୋଣାର୍କ ଏନ୍ଏସି ଅଞ୍ଚଳରୁ ୨୦ରୁ ୨୫ ଟନ୍ ବାହାରୁଛି । ପୁରୀ ମହାନଗର ନିଗମ ହେବା ପରେ ବର୍ଜ୍ୟବସ୍ତୁ ଅଧିକ ଉତ୍ପନ୍ନ ହେବ ।
ଏଣୁ ଏହି ପ୍ରକଳ୍ପକୁ ସ୍ୱାଗତ କରୁଛନ୍ତି ପୁରୀବାସୀ । ସେପଟେ ବଳିଆପଣ୍ଡା ଡମ୍ପିଂୟାର୍ଡରେ ୧୯୮୨ ମସିହାରୁ ୮ଏକର ଜାଗାରେ ୩ଲକ୍ଷ ୯୧ହଜାର ୯୦୪ ମେଟ୍ରିକ୍ ଟନ୍ ଆବର୍ଜନା ଗଦା ହୋଇଥିଲା । ଏହାର ପ୍ରକ୍ରିୟାକରଣ ଶେଷ ହୋଇଛି ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି । କିନ୍ତୁ ବିଭିନ୍ନ ଜାଗାରେ ଅଘୋଷିତ ଡମ୍ପିଂୟାର୍ଡ ଲୋକଙ୍କୁ ଅଣନିଶ୍ବାସୀ କରୁଥିବା ବେଳେ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ ପାଇଁ ଦାବି ହେଉଛି । ଏବେ ସହରରୁ ଦୈନିକ ୮୦ଟନ୍ ଆବର୍ଜନାକୁ ୧୦ଟି ଏମସିସି ଓ ୬ଟି ମ୍ୟାଟେରିଆଲ ରିକୋଭରି ଫ୍ୟାସିଲିଟି ଜରିଆରେ ପରିଚାଳନା କରାଯାଉଛି । ତେବେ ପୃଥକୀକରଣ ହୋଇନଥିବା ଓଦା ବର୍ଜ୍ୟ ପରିଚାଳନା ବଡ଼ ଚ୍ୟାଲେଞ୍ଜ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/19-2026-02-13-19-42-12.jpg)