କନକ ବ୍ୟୁରୋ: ଭିଡିଓ ଭାଇରାଲ ପରେ ଉଦ୍ଧାର ହେଲେ ଶ୍ରମିକ । ମିଳିଲା ଇଟାଭାଟି ମାଲିକ ଅତ୍ୟାଚାରରୁ ମୁକ୍ତି । ଗତ ମେ’ ୧୭ ତାରିଖରେ ଗଞ୍ଜାମ ଆସିକା ବ୍ଲକ କୋଟିନଡ଼ା ଥାନା ଅଞ୍ଚଳର ଏକ ଭିଡିଓ ଭାଇରାଲ ହୋଇଥିଲା।  କିଛି ଶ୍ରମିକ ଉଦ୍ଧାର ପାଇଁ ସରକାରଙ୍କୁ ହାତ ଯୋଡ଼ି ଆକୁଳ ନିବେଦନ କରୁଥିଲେ । ଇଟାଭାଟି ମାଲିକଙ୍କ ଦୌରାତ୍ମ୍ୟ ସମ୍ପର୍କରେ ବଖାଣିଥିଲେ । ସେହି ଭିଡିଓ ଭାଇରାଲ ହେବା ପରେ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ ଓ ଶ୍ରମ ବିଭାଗର ମିଳିତ ଟିମ୍ । 

Advertisment

ଏହି ଶ୍ରମିକମାନେ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର । ପେଟପାଟଣା ପାଇଁ ଗଞ୍ଜାମର ବିଭିନ୍ନ ଇଟାଭାଟିରେ କାମ କରୁଥିଲେ । ହେଲେ ଇଟାଭାଟି ମାଲିକ କାମ କରାଇବା ନାଁରେ ଶ୍ରମିକଙ୍କ ଉପରେ ନାନା ଅତ୍ୟାଚାର କରୁଥିଲା । ପାଉଣା ଦେଉନଥିଲେ କି ଘରକୁ ଛାଡ଼ୁନଥିବା ଅଭିଯୋଗ ହୋଇଛି । ଇଟାଭାଟି ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । 

ଗଞ୍ଜାମରେ ଗଢ଼ି ଉଠିଛି ଶହଶହ ବେଆଇନ ଇଟାଭାଟି । ଅନେକ ସ୍ଥାନରେ ନାବାଳକ ନାବାଳିକା ପରିବାର ସହ ଇଟାଭାଟିରେ କାମ କରୁଛନ୍ତି । ହେଲେ ଏ ବାବଦରେ କୌଣସି ତଥ୍ୟ ଶ୍ରମ ବିଭାଗ କି ସ୍ଥାନୀୟ ପ୍ରଶାସନ ପାଖରେ ନାହିଁ । ତୁରନ୍ତ ଏହାକୁ ରୋକିବା ପାଇଁ ସାଧାରଣରେ ଦାବି ହୋଇଛି ।