କନକ ବ୍ୟୁରୋ: ଗଞ୍ଜାମରେ ସଫଳ ହୋଇଛି ଷ୍ଟ୍ରବେରୀ ଚାଷ । ମାତ୍ର ଦୁଇ ମାସ ଭିତରେ ୫୦୦ କିଲୋରୁ ଅଧିକ ଷ୍ଟ୍ରବେରୀ ବିକ୍ରି କଲେଣି ଚାଷୀ । ଚାଷ ଭଲ ହୋଇଥିବା ବେଳେ ଫଳ ବି ଭଲ ଆସିଛି । ସ୍ବାଦ ଦୃଷ୍ଟିରୁ ବେଶ ଭଲ ରହିଥିବାରୁ ଏହାର ବଜାର ଚାହିଦା ଅଧିକ ରହିଛି । ବିଶେଷକରି ଷ୍ଟ୍ରବେରୀ ଏକ ଦାମି ଫଳ । ଯାହାର କିଲୋ ବଜାରରେ ୩୦୦ରୁ ୪୦୦ ଟଙ୍କା । ତେବେ ଏଭଳି ଏକ ଚାଷ କରି ଲାଭବାନ ହୋଇଛନ୍ତି ଚାଷୀ ପୁରୁଷୋତ୍ତମ । ଏଥିପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇଦିଆଯାଇଛି ।
ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଦିଗପହଣ୍ଡି ଓ ସାନଖେମୁଣ୍ଡିରେ ଏହି ଚାଷ ହୋଇଛି । ଦିନକୁ ୨୫ରୁ ୩୦ କିଲୋ ଫଳ ତୋଳା ହେଉଛି । ଯାହାକୁ ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି ଚାଷୀ । ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କରଡ଼ା ଗାଁ ଏହି ଚାଷୀ ଜଣଙ୍କ ୪୦ ବର୍ଷ ହେଲା ଚାଷ କରୁଛନ୍ତି । ଦିନେ ଷ୍ଟ୍ରବେରୀ ଚାଷ ବିଷୟରେ ଜାଣି ନଥିଲେ । ଉଦ୍ୟାନ ବିଭାଗ ଠାରୁ ପରାମର୍ଶ ନେଇ ଏବେ ଏହି ଚାଷରେ ସଫଳତା ପାଇଛନ୍ତି । ବ୍ରହ୍ମପୁର ସହ ଭୁବେନେଶ୍ୱର ମାର୍କେଟକୁ ବିକ୍ରି ପାଇଁ ପଠାଉଛନ୍ତି ଷ୍ଟ୍ରବେରୀ । ତାଙ୍କ ପୁଅ ବିଦେଶରେ ଚାକିରୀ କରୁଥୁବା ବେଳେ ସେ ମଧ୍ୟ ଏହି ଚାଷ ଉପରେ ମନ ବଳାଇଛନ୍ତି । ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ଚାଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଫଳ ଫଳିଥାଏ । ଥଣ୍ଡା ଜଳବାୟୁରେ ଏହି ଚାଷ ଭଲ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହ ଚାଷ ସଫଳ ହୋଇଛି । ସମ୍ପୂର୍ଣ୍ଣ ଜୈବୀକ ପ୍ରଣାଳିରେ ଏହି ଚାଷ ହୋଇଥିବାରୁ ବଜାରରେ ମଧ୍ୟ ଏହାର ଢେରସାରା ଚାହିଦା ରହିଛି ।