କନକ ବ୍ୟୁରୋ: ପାଠପଢ଼ାରେ ଡୋରି ବାନ୍ଧିଦେଲା କ୍ୟାନସର । ପାଠପଢ଼ା ବୟସରେ କ୍ୟାନସର ସହ ଲଢେଇ କରୁଛି ଶିବୁ । ଏକ ମାତ୍ର ପୁଅକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ବାପା । ପୁଅକୁ ଦୁଇ ବର୍ଷ ହେଲା ବ୍ଲଡ କ୍ୟାନସର ହୋଇଥିବା ବେଳେ ସ୍ୱାସ୍ଥ୍ୟ କାର୍ଡ ପଇସା ସରିବା ପରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶିବୁଙ୍କ ପରିବାର ।
ଖେଳକୁଦ ବୟସରେ ଅସହ୍ୟ ଯନ୍ତ୍ରଣା ଭୋଗୁଛି ଶିବୁ । ପ୍ରଥମେ ଜ୍ବର , ଆଉ ତା’ପରେ ଜ୍ବର ବଢ଼ି ବଢ଼ି ଆରମ୍ଭ ହୋଇଥିଲା ଯନ୍ତ୍ରଣା । ପରେ ଜଣାପଡ଼ିଲା ରକ୍ତ କର୍କଟ ହୋଇଛି । ଅଭାବ ଭିତରେ ଜୀବନ ଜିଉଁଥିବା ଶିବୁଙ୍କ ପରିବାର ପୁଅର କିଭଳି ଚିକତ୍ସା କରିବେ ସେ ନେଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଗଞ୍ଜାମ ବେଗୁନିଆପଡା ବ୍ଲକ ନୁଆଗାଁ ବୁରୁଝୁରିର ଭୀମସେନ ସେଠୀଙ୍କ ପୁଅ ଶିବୁ । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ରୋଗ ଯୋଗୁ ପଢ଼ାରେ ବାନ୍ଧିଛି ଡୋରୀ । ବାପା ଜଣେ ଦାଦନ ଶ୍ରମିକ । ପୁଅର ଦେହ ଅସୁସ୍ଥ ହେବାଠାରୁ ଦୁଇ ବର୍ଷ ହେଲା ରୋଜଗାର କରିପାରୁନାହାନ୍ତି । ଫଳରେ ପରିବାର ଚଳିବା କଷ୍ଟସାଧ୍ୟ ହୋଇ ପଡିଛି । ଏନେଇ କିଛି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ପରିବାର ।
ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଶିବୁଙ୍କ ଚିକିତ୍ସା କରାଯାଉଥିବା ବେଳେ ବର୍ଷକୁ ମିଳୁଥିବା ୫ ଲକ୍ଷ ୩ ମାସ ଭିତରେ ସରି ଯାଉଛି । ଅନ୍ୟ ୯ ମାସ ବହୁ ଦୁଃଖ କଷ୍ଟରେ ଶିବୁଙ୍କ ଚିକିତ୍ସା ହେଉଛି । ପୁଅକୁ ବଞ୍ଚାଇବା ପାଇଁ ଭୀମସେନ ବିଭିନ୍ନ ଧାରକରଜ କରିଥିବା ବେଳେ ଏବେ ଅସହାୟ ହୋଇପଡିଛନ୍ତି ।
କୌଣସି ସହୃଦୟ ବ୍ୟକ୍ତି ଶିବୁଙ୍କୁ ସାହାଯ୍ୟ କରିବାକୁ ଚାହୁଥିଲେ ଏହି ଠିକଣାରେ ଯୋଗାଯୋଗ କରିପାରିବେ:
BHIMSEN SETHY
ACCOUNT NO:515618210007602
BANK OF INDIA, SUMANDAL