କନକ ବ୍ୟୁରୋ: ଓଡିଶାରୁ ଉତ୍ତର ପ୍ରଦେଶକୁ ଚାଲାଣ ହେଉଛି ଗଞ୍ଜେଇ । ଆଉ ସୁନ୍ଦରଗଡରେ ଏହି ଗଞ୍ଜେଇ ଧରାପଡିଲା ପରେ ସାମ୍ନାକୁ ଆସିଛି ସାଂଘାତିକ ସତ । ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆମାନେ କମ ବୟସ୍କ ଯୁବକ ଯୁବତୀଙ୍କୁ ଟାର୍ଗେଟ କରି ଏଭଳି କାମରେ ଲଗାଉଛନ୍ତି ।
ପୁଲିସକୁ ଚକମା ଦେଇ ଓଡିଶାରୁ ଉତ୍ତର ପ୍ରଦେଶକୁ ଚାଲଣ ହେଉଛି ଗଞ୍ଜେଇ । ଆଉ ଯେପରି ପୁଲିସ ହାତରେ ଧରାନଡିବେ ସେଥିପାଇଁ ଗଞ୍ଜେଇ ମାଫିଆମାନେ ନୂଆ ତରିକା ଆପଣାଇଛନ୍ତି । ଟ୍ରେନ, କାର ବଦଳରେ ବସ ଯୋଗେ ଗଞ୍ଜେଇ ପଠାଯାଉଛି । ସନ୍ଦେହ ନହେବା ପାଇଁ କମ ବୟସ୍କ ଯୁବକ ଯୁବତୀଙ୍କୁ କାର୍ୟ୍ୟରେ ଲଗାଉଛନ୍ତି ମାଫିଆ । ଯୁବକଙ୍କ ସାଙ୍ଗରେ ରହୁଛନ୍ତି ଜଣେ ଯୁବତୀ ଆଉ ରହୁଛି ଗଞ୍ଜେଇ ଭର୍ତ୍ତି ସୁଟକେଶ୍ । ଏହିଭଳି ଗଞ୍ଜେଇ ଚାଲାଣର ପର୍ଦ୍ଦାଫାଶ କରିଛି ସୁନ୍ଦରଗଡ ପୁଲିସ । ସୁନ୍ଦରଗଡ଼ରୁ ଛତିଶଗଡ ଅମ୍ବିକାପୁର ଯାଉଥିବା ଏକ ଘରୋଇ ବସରୁ ଗଞ୍ଜେଇ ଭର୍ତ୍ତି ସୁଟକେଶ ଜବତ କରିବା ସହ ଜଣେ ଯୁବକଙ୍କ ଗିରଫ କରିଛି ପୁଲିସ । ଗିରଫ ଯୁବକ ଜଣଙ୍କ ଉତ୍ତରପ୍ରଦେଶ ବାରଣାସୀର ରିତେଶ ଓଝା ।
ଗଞ୍ଜେଇ ନେଇ ରେଢାଖୋଲରୁ ପ୍ରଥମେ ଏକ ବସରେ ଆସିଥିଲେ ଅଭିଯୁକ୍ତ ରିତେଶ ଓଝା ଓ ଅନ୍ୟ ଜଣେ ଯୁବତୀ । ଆଉ ସେମାନେ ସୁନ୍ଦରଗଡ଼ରୁ ଛତିଶଗଡ ଅମ୍ବିକାପୁର ଯାଇଥାନ୍ତେ । ଏଥିପାଇଁ ୪ ହଜାର ଟଙ୍କା ଦେବାକୁ ମଧ୍ୟ ସେମାନେ ରାଜି ଥିଲେ । କିନ୍ତୁ ବସରେ ଚଢିବା ପରେ କଣ୍ଡକ୍ଟରଙ୍କ ସନ୍ଦେହ ହୋଇଥିଲା । ପରେ ବସ ମାଲିକ ଏସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ । ଆଉ ପୁଲିସ ଆସିବା କ୍ଷଣି ଚମ୍ପଟ ମାରିଥିଲେ ଯୁବତୀ । ଆଉ ୧୭ କିଲୋ ଗଞ୍ଜେଇ ସହ ଧରାପଡିଯାଇଥିଲେ ରିତେଶ ଓଝା। କିଛି ପଇସାର ଲୋଭରେ ପଡି ଏହିଭଳି କାର୍ୟ୍ୟ ନକରିବାକୁ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି ସୁନ୍ଦରଗଡ଼ ସଦର ଏସଡିପିଓ ।
ଫେରାର ଥିବା ଅନ୍ୟ ଅଭିଯୁକ୍ତ ଯୁବତୀଙ୍କୁ ପୁଲିସ ଖୋଜାଖୋଜି କରୁଛି । କିନ୍ତୁ ଏହି କାରବାର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।