କନକ ବ୍ୟୁରୋ: ପ୍ରଦୂଷଣର ଶୀର୍ଘରେ ପହଞ୍ଚିଛି ଗଙ୍ଗୁଆ । ପ୍ରତିଦିନ ବିଏମ୍ସି ଅଞ୍ଚଳରୁ ବାହାରୁଥିବା ୧୦୭ ଏମ୍ଏଲ୍ଡି (୧୦୭୦ ଲକ୍ଷ ଲିଟର) ଗଙ୍ଗୁଆ ବର୍ଜ୍ୟଜଳ ଦୟାନଦୀରେ ମିଶୁଛି । ଆଉ ସେହି ଜଳକୁ ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି ନଦୀ କୂଳିଆ ଲୋକ । ତଥାପି ପ୍ରଶାସନର ନିଦ ଭାଂଗୁନି ।
ସମସ୍ତଙ୍କ ଜଣାତରେ ଗଙ୍ଗୁଆ ଜଳରେ ଦୟା ନଦୀ ପ୍ରଦୂଷିତ ହେଉଛି । ଦୟାର ସେହି ପାଣି ବ୍ୟବହାର କରି ପୁରୀଜିଲ୍ଲା କଣାସ ବ୍ଲକ୍ରେ ଝାଡ଼ାବାନ୍ତିରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ଏସ୍ଟିପି ବସାଯାଇ ଗଙ୍ଗୁଆ ଜଳ ବିଶୋଧନ କରାଯାଇ ଦୟାକୁ ଛାଡ଼ିବାକୁ ହୋଇଥିବା ନିଷ୍ପତ୍ତି ଏବେ ଫାଇଲ୍ରେ ବନ୍ଦ ପଡ଼ିଛି । ସରକାର ମଧ୍ୟ ଚୁପ୍ । ବିକଳ୍ପ ବ୍ୟବସ୍ଥା ନଥିବାରୁ ଏବେ ବି ଦୟା ପାଣିକୁ ବ୍ୟବହାର କରୁଛନ୍ତି ଲୋକେ ।
ଜଳ ବିଶୋଧନ ଆକ୍ଟ ୧୯୭୪ ଅନୁସାରେ ଜଳକୁ ପ୍ରଦୂଷିତ କରାଯାଇପାରିବ ନାର୍ହି । ଯିଏ ଜଳ ପ୍ରଦୂଷଣ ପାଇଁ ଦାୟୀ ତାଙ୍କ ବିରୋଧରେ ଆପରାଧିକ ମାମଲା ହେବ । ୫ ବର୍ଷ ଜେଲ୍ ଦଣ୍ଡର ବି ପ୍ରାବଧାନ ରହିଛି । ଏଥିସହ କ୍ଷତି ସହିଥିବା ଲୋକଙ୍କୁ ସରକାର କ୍ଷତିପୂରଣ ଦେବା କଥା । ହେଲେ କଣାସ ଘଟଣାରେ ଏଯାଏ ସହାୟତା ମିଳିନାହିଁ । ମାନବାଧିକାର କମିସନଙ୍କ ନିକଟରେ ମାମଲା ପରେ ପ୍ରଭାବିତ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ଯେମିତି ପାଣିରେ ଗାର ହୋଇଛି ।
ଅନ୍ୟପଟେ ପୂର୍ବତନ ବିଧାୟକ ରମା ରଂଜନ ବଳିଆରସିଂ ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଥିବା ଅଭିଯୋଗ ଆଣିଛନ୍ତି । ଯଦି ଆର୍ଥିକ ସହାୟତା ସହ ଦୟା ନଦୀକୁ ପ୍ରଦୂଷଣ ମୁକ୍ତ କରାନଯାଏ ଏକ ବିରାଟ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଗଙ୍ଗୁଆ ଜଳ ବିଶୋଧନ ପାଇଁ ହୋଇଥିବା ଯୋଜନା କେବେ କାର୍ଯ୍ୟକାରୀ ହେବ । କେବେ ପ୍ରଦୂଷଣରୁ ମୁକ୍ତି ପାଇବ ଦୟା। ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି ।