କନକ ବ୍ୟୁରୋ : କଣାସର ୪ଟି ପଂଚାୟତରେ ହଇଜା ବ୍ୟାପିବାରେ ଲାଗିଛି । ସ୍ୱାସ୍ଥ୍ୟବିଭାଗ ସ୍ଥିତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଥିବେ ବି କିଛି ପ୍ରଭାବ ପଡୁନି । ଲୋକେ କଲବଲ ହେଉଥିବାବେଳେ ରାଜନୀତି ପଶିଛି । କୁହାଯାଉଛି, ଦୟା ନଦୀରେ ଗଙ୍ଗୁଆ ନାଳର ବର୍ଜ୍ୟବସ୍ତୁ ଓ ନର୍ଦ୍ଦମା ପାଣି ମିଶିଥୁବାରୁ ଏହାକୁ ବ୍ୟବହାର କରି ଲୋକେ ହଇଜାରେ ଆକ୍ରାନ୍ତ ହୋଇଛନ୍ତି । ଆଗକୁ ଚିଲିକାର ଜୈବ ବିବିଧତା ପ୍ରଭାବିତ ହେବ ।
ଦୟା ନଦୀର ବିଷ ପାଣିରେ ଏବେ କଣାସ ଅଞ୍ଚଳର ଲୋକେ କଲବଲ ହେଲେଣି । କଣାସର ୪ଟି ପଞ୍ଚାୟତରେ ଶତାଧିକ ଲୋକ ହଇଜାରେ ଆକ୍ରାନ୍ତ ହେଲେଣି । ପ୍ରଶାସନର ପଦକ୍ଷେପ ଯଥେଷ୍ଟ ହେଉନାହିଁ । ଫଳରେ ହଇଜାରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବାବେଳେ ସରକାର କହୁଛନ୍ତି ଜଣେ ମରିଛନ୍ତି ।
ଆଶାକର୍ମୀ ସ୍ୱାସ୍ଥ୍ୟକର୍ମୀ ଘରେ ଘରେ ହାଲୋଜିନ ବଟିକା ବାଂଟୁଛନ୍ତି । ନଦୀ ଘାଟକୁ ବିଶୋଧନ କରାଯାଉଛି । ପ୍ରଭାବିତ ଅଂଚଳରେ ବିଶୁଦ୍ଧ ପିଇବା ପାଣି ଦିଆଯାଉଛି । ଜିଲ୍ଲାପାଳ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ରାଜ୍ୟ ଜନ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶକ ସଂକ୍ରମିତ ଗାଁ ପରିଦର୍ଶନ କରି ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୃତି ଦେଇଛନ୍ତି ।
ଭୁବନେଶ୍ୱର ଉପକଣ୍ଠରେ ଗଙ୍ଗୁଆ ନାଳର ନର୍ଦ୍ଦମା ପାଣି ଓ ବର୍ଜ୍ୟବସ୍ତୁ ଦୟାନଦୀରେ ମିଶୁଛି । ପିପିଲିର କଂଟିଠାରୁ ଦୟା ଓ ଗଙ୍ଗୁଆ ନାଳର ମିଳନ ସ୍ଥଳୀରୁ ଚିଲିକା ଯାଏଁ ଉଭୟ ପାର୍ଶ୍ଵରେ ରହୁଥିବା ଲୋକେ ଏହି ପାଣି ଉପରେ ନିର୍ଭର କରୁଛନ୍ତି । ନର୍ଦ୍ଦମା ପାଣି ହିଁ ଦୟା ନଦୀରେ ପାଣିକୁ ଦୂଷିତ କରୁଛି । ଗାଁ ଲୋକେ ଏହି ବିଷ ପାଣିକୁ ପିଉଥିବାରୁ ହାଇଜା ବ୍ୟାପୁଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ରାଜନୀତି ତେଜିଛି ।
ବିଜେଡି ନେତା ପ୍ରେସମିଟ୍ କରି ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି, ସ୍ୱତନ୍ତ୍ର ମେଡିକାଲ ଟିମ ପ୍ରଭାବିତ ଅଞ୍ଚଳରେ ୨୪ ଘଣ୍ଟା ରହୁ । ସବୁ ନଦୀ ଓ ଚିଲିକା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉ ବୋଲି ଦାବି କରିଛନ୍ତି । ଜବାବରେ ଜଂଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଜଳ ପ୍ରଦୂଷଣର ଅନୁଧ୍ୟାନ ଚାଲିଛି । ଅନୁଧ୍ୟାନ ପରେ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହେଉଛି ।
ପ୍ରଶ୍ନ ଉଠୁଛି, ଗଙ୍ଗୁଆ ନାଳର ପାଣି ନଦୀରେ ମିଶିବା ପୂର୍ବରୁ କାହିଁକି ବିଶୋଧନ କରାଯାଉନି ? ଆଉ କେତେ କ୍ଷତି ହେଲେ ସରକାରଙ୍କ ଚେତା ପଶିବ ?