କନକ ବ୍ୟୁରୋ: କ୍ରାଇମବ୍ରାଞ୍ଚ ହାତରେ ଚୋରା ବନ୍ଧୁକ ମାଫିଆ ଗ୍ୟାଙ୍ଗଷ୍ଟର ମହମ୍ମଦ ଅସଲାମ୍‌ । ବିହାରରୁ ଅସଲାମ୍‌କୁ ଗିରଫ କରିଛି ଓଡିଶା ଏସ୍‌ଟିଏଫ୍‌ । ୩ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ପଚରାଉଚରା ପରେ ସାମ୍ନାକୁ ଆସିଛି ଡନ ସାମ୍ରାଜ୍ୟର ଛାତିଥରା କାହାଣୀ । ୫ ରାଜ୍ୟକୁ ଥରହର କରୁଥିବା ମୋଷ୍ଟୱାଣ୍ଟେଡ୍ ଡନ୍‌ର ‘ମେଡ୍‌ ଇନ୍ ମୁଙ୍ଗେର’ କାହାଣୀ.... 

Advertisment

ଗ୍ୟାଙ୍ଗଷ୍ଟର ମହମ୍ମଦ ଅସଲାମ୍ । ମୁଙ୍ଗେରର ଏହି ଗ୍ୟାଙ୍ଗଷ୍ଟର ୫ ରାଜ୍ୟର ପୁଲିସ ପାଇଁ ଥିଲା ମୋଷ୍ଟୱାଣ୍ଟେଡ୍ । ବନ୍ଧୁକ କାରବାରର ବେତାଜ ବାଦଶାହା । ଗୋଟିଏ ଇସାରାରେ ନଚାଉଥିଲା ସାର୍ପସୁଟରରୁ କଣ୍ଟ୍ରାକ୍ଟ କିଲର । ଯୋଗାଉଥିଲା ପିସ୍ତଲରୁ ରିଭଲବର । କେବଳ ମୁଙ୍ଗେର ନୁହେଁ, ଓଡିଶା, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଉ ଆସାମ । ଓଡିଶା ସ୍ପେଶାଲ ଟାସ୍କ ଫୋର୍ସ ହାତରେ ଏହି ଡନ୍ ବନ୍ଧା ପଡିବା ପରେ, ସାମ୍ନାକୁ ଆସିଛି ଆସଲାମର ଅସଲ ଚିତ୍ର। କଟକ ବୟାଳିଶ ମୌଜାରେ ବନ୍ଧୁକ କାରଖାନା ଖୋଲି ମାଳମାଳ ବନ୍ଧୁକ କାରବାର ପଛର ମାଷ୍ଟରମାଇଣ୍ଡ ଥିଲା ଏହି ଗ୍ୟାଙ୍ଗଷ୍ଟର । ଓଡିଶାରୁ ଅଧା ତିଆରି ବନ୍ଧୁକ ନେଇ ମୁଙ୍ଗେରରେ କରୁଥିଲା ଫିନିସିଙ୍ଗ । ସେଠାରେ ଚୋରା ବନ୍ଧୁକ ବେପାରୀ ମହମ୍ମଦ ଆଜାମ୍‌ ଓରଫ୍‌ ବୁଦ୍ଧୁ ଓ ମହମ୍ମଦ ଆବିଦ ହୁସେନଠାରୁ ବନ୍ଧୁକ କିଣୁଥିଲା । ମିନି ଗନ୍‌, ପିସ୍ତଲ ଆଣି ଅନ୍ୟ ରାଜ୍ୟକୁ ଯୋଗାଉଥିଲା ଅସଲାମ୍‌ । 

ବନ୍ଧୁକ ଯୋଗାଇବା ପାଇଁ ମୋଟା ଅଙ୍କର ଟଙ୍କା ନେଉଥିଲା ଅସଲାମ୍ । ଆଡଭାନ୍ସ ବାବଦକୁ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆକାଉଣ୍ଟରେ ନେଇଛି । କଟକରୁ ତିଆରି ବନ୍ଧୁକ ଉପରେ ମେଡ୍ ଇନ୍ ମୁଙ୍ଗେର ଲେଖି ରାଜ୍ୟ, ରାଜ୍ୟ ବାହାରକୁ ସପ୍ଲାଏ କରୁଥିଲା । ଆଉ ମଝିରେ ମଝିରେ କଟକ ଆସି କ୍ୱାଲିଟି ବି ଚେକ୍ କରୁଥିଲା । ତେବେ ଗଞ୍ଜାମରୁ ମିଳିଥିବା ୩୧ବନ୍ଧୁକ ପଛରେ ଥିଲା ଏହି ଡନର ହାତ । ଗଞ୍ଜାମ ବ୍ୟତୀତ ଆଉ କେଉଁ ସହରର କେତେ ଅପରାଧୀଙ୍କ ହାତକୁ କେତେ ବନ୍ଧୁକ ଯାଇଛି ସେନେଇ ଖୋଳତାଡ଼ ଆରମ୍ଭ କରିଛି ଏସଟିଏଫ୍ ।

ଏବେ ଏସଟିଏଫ୍ ପାଇଁ ବଡ ଚ୍ୟାଲେଞ୍ଜ ହେଉଛି-
- ବୟାଳିଶି ମୌଜାର ବନ୍ଧୁକ କାରଖାନାରେ ତିଆରି ହୋଇଥିଲା କେତେ ବନ୍ଧୁକ
- ଯଦି ଆକାଉଣ୍ଟରେ ଆଡଭାନ୍ସ ୨୦ ଲକ୍ଷ, ତା’ହେଲେ କ୍ୟାସ୍‌ରେ ନେଇଛି କେତେ
- କେବେ ପ୍ରସ୍ତୁତ ହେବ ବନ୍ଧୁକ ନେଇଥିବା ସାର୍ପସୁଟର, କଣ୍ଟ୍ରାକ୍ଟ କିଲରଙ୍କ ତାଲିକା
- ଓଡ଼ିଶାରେ ବଡ଼ ଅପରାଧ କରିବାକୁ ଯୋଜନା କରିଥିଲା କି ଡନ୍ ଅସଲାମ୍ 
- ଏବେବି ଓଡ଼ିଶାରେ ବୁଲୁଛି କେତେ ବନ୍ଧୁକ
- ଫସିଲା ଅସଲାମ୍‌, ଖସିଲା କିଏ?
- ଏବେ ବି ଏସ୍‌ଟିଏଫ୍‌ ହାତ ଖାଲି, କୁଆଡ଼େ ଗଲା ଗଡଫାଦର?