କନକ ବ୍ୟୁରୋ: ଚାଳ ଛପର ଘର। ଆଉ ତା’ ଭିତରେ ବନ୍ଧୁକ କାରଖାନା। ବେଧଡ଼କ ଚାଲିଥିଲା ବେଆଇନ ବନ୍ଧୁକ ତିଆରି। ଏହି ବନ୍ଧୁକ ବାହାର ରାଜ୍ୟକୁ ଚାଲାଣ ହେଉଥିଲା। ସ୍ପେଶାଲ ଟାସ୍କଫୋର୍ସ ଚଢ଼ାଉ ପରେ ଧରାପଡ଼ିଛନ୍ତି ପୂରା ଗ୍ୟାଙ୍ଗ। ଉଠିଲା ପ୍ରଶ୍ନ, ଏତେଦିନ ଧରି କାରଖାନା ଚାଲିଥିବା ବେଳେ ପୁଲିସ କେମିତି ଜାଣିପାରିଲା ନାହିଁ। 

Advertisment

ବାହାରେ ଗୁହାଳ, ଭିତରେ ବନ୍ଧୁକ ମାଳ ମାଳ। ଗୋଟିଏ କି ଦୁଇଟି ନୁହେଁ, ଚଟାଣରେ ପଡିରହିଛି ଶହ ଶହ ବନ୍ଧୁକ। ସିନେମାର ଦୃଶ୍ୟ ଭଳି ଲାଗୁଥିବା ଏହି ଘଟଣା ହେଉଛି କଟକ ୪୨ ମୌଜା, ଧଳେଶ୍ୱର ଗାଁର। ଜାଣି ଆଶ୍ଚର୍ଯ୍ୟ ହେବେ, କେବଳ ବନ୍ଧୁକ କାରବାର ନୁହେଁ କାରଖାନା ଖୋଲି ବନ୍ଧୁକ ତିଆରି କରୁଥିଲେ ଅଭିଯୁକ୍ତ। ବିହାର ମୁଙ୍ଗେରରୁ ଆରମ୍ଭ କରି, କୋଲକାତାର ବଛା ବଛା ବନ୍ଧୁକ କାରିଗର କଟକରେ ଡେରା ପକାଇଥିଲେ। ଆଉ ଗୋଟିଏ ଦିନରେ ଗଣ୍ଡା ଗଣ୍ଡା ବନ୍ଧୁକ ତିଆରି କରୁଥିଲେ। ବେଆଇନ ବନ୍ଧୁକ ତିଆରିରେ ଡିଗ୍ରି କରିଥିଲେ ଏହି ଅଭିଯୁକ୍ତ। ଫୋର୍ ସାଇଟ ବ୍ଲେଡ୍, ସ୍ଲାଇଡ୍, କମ୍ବ, ବ୍ୟାକ ସାଇଟ୍ ୟୁ, ହାମର, ସେଫଟି କ୍ୟାଚ୍, ଷ୍ଟକ, ମାଗାଜିନ୍ କ୍ୟାଚ୍, ମାଗାଜିନ୍, ଟ୍ରିଗର୍, ଟ୍ରିଗର ଗାର୍ଡ, ବଡି ଲକିଙ୍ଗ ଲିଭର, ମଜଲ। ଏସବୁକୁ ନେଇ ତିଆରି ହୁଏ ବନ୍ଧୁକ। ଏପରିକି ବନ୍ଧୁକରେ ଲାଗୁଥିବା ବେସ୍ ଠାରୁ ସ୍ପ୍ରିଙ୍ଗ ପର୍ଯ୍ୟନ୍ତ ସବୁକିଛି ତିଆରି କରି ଦେଉଥିଲା ମୁଙ୍ଗେରରୁ ଆସିଥିବା ଏହି ମାଫିଆ। ସ୍ପେସାଲ ଟାସ୍କଫୋର୍ସର ଚଢାଉ ପରେ, ଧରା ପଡିଛନ୍ତି ଏହି ବିହାରୀ ଗ୍ୟାଙ୍ଗ। ଦେଖନ୍ତୁ ପୁଲିସ ହାତରେ ଧରା ପଡିଥିବା ଘର ମାଲିକ କଣ କହୁଛନ୍ତି। 

ଗତ ଜାନୁୟାରୀ ମାସରୁ ବନ୍ଧୁକ ତିଆରି ଚାଲିଥିବା କହିଛନ୍ତି ଅପରାଧୀ। ୨୦୦ରୁ ଅଧିକ ଅଧା ତିଆରି ବନ୍ଧୁକ ସେମତ ୩୦ଟି ବନ୍ଧୁକ ମିଳିଛି। ବନ୍ଧୁକ ତିଆରି ଲେଦ୍, ପାଇପ୍, ମେସିନ୍ ଓ କଟର ଆଦି ଜବତ ହୋଇଛି। ତେବେ ୨ଟି ବନ୍ଧୁକ ତିଆରି ପାଇଁ ଗୋଟିଏ ଦିନ ସମୟ ଲାଗୁଥିବା ବୟାନ ଦେଇଛନ୍ତି ଅଭିଯୁକ୍ତ । ମସେର ଅଲ୍ଲୀ, ଅଜାମ, ମହମ୍ମଦ ସମେତ ଘର ମାଲିକ ସରୋଜ ବେହେରାକୁ ଗିରଫ କରିଛି ଏସଟିଏଫ୍। 

କଟକ ୪୨ ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ ହେବା ପରେ ପ୍ରଶ୍ନ ଉଠୁଛି-
ଏହି କାରଖାନାରେ ୩ ମାସ ଭିତରେ କେତେ ବନ୍ଧୁକ ତିଆରି ହୋଇଛି?
କିଏ ଓ କାହିଁକି ଦେଇଥିଲା ଏତେ ସଂଖ୍ୟାର ବନ୍ଧୁକ ଅର୍ଡର?
କୁଆଡ଼େ ଯାଇଥାନ୍ତା ଜବତ ହୋଇଥିବା ଏହି ୨୦୦ ବନ୍ଧୁକ?
ଏତେଦିନ ଧରି କାରଖାନା ଚାଲିଥିବାବେଳେ ପୋଲିସ ଜାଣିନଥିଲା କେମିତି?