କନକ ବ୍ୟୁରୋ: ଯୁବତୀକୁ ଅଟୋରେ ଘରେ ଛାଡ଼ିଦେବାକୁ କହି କଲେ ଗଣଦୁଷ୍କର୍ମ । ୩ ଜଣ ସାଙ୍ଗ ୭ ଦିନ ଧରି ଯୁବତୀଙ୍କୁ ଏକ ଭଡ଼ା ଘରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।
ଅଭିଯୋଗ ଆଧାରରେ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିବା ସହ ଝିଅକୁ ନେଇଥିବା ଅଟୋକୁ ଜବତ କରିଛି । ଏନେଇ ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦ ଓ ତଦନ୍ତ ଅଧିକାରୀ ଆଇଆଇସି ସମ୍ବିତ କୁମାର ସ୍ଵାଇଁ ଜଣାଇଛନ୍ତି । ଗତ ୧୧ ତାରିଖ ମଧ୍ୟାହ୍ନରେ ଯୁବତୀ ଜଣକ ଔଷଧ ଆଣିବା ପାଇଁ ବଜାରକୁ ଆସିଥିଲେ । ଘରକୁ ଫେରିବା ସମୟରେ ତ୍ରିବେଦୀ ପାର୍କ ପାଖରେ ଅଟୋ ଡ୍ରାଇଭର ଜଣକ ଯୁବତୀକୁ ଘରେ ଛାଡ଼ିଦେବା ପାଇଁ କହିଥିଲା । ହେଲେ ଘରେ ଛାଡ଼ିବା ବଦଳରେ ଏକ ଭଡ଼ା ଘର ନିକଟକୁ ନେଇ ଯାଇଥିଲା । ସେଠାରେ ଏକ ରୁମରେ ବନ୍ଦ କରିଦେଇଥିଲା । ଏହାପରେ ଦୁଇ ସାଙ୍ଗଙ୍କ ସହ ମିଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଦିନେ କି ଦୁଇ ଦିନ ନୁହେଁ ୭ ଦିନ ଏଭଳି ଅତ୍ୟାଚାର କରିଥିବା ଯୁବତୀ ଜଣକ କହିଛନ୍ତି ।
ଏ ନେଇ ୧୭ ତାରିଖ ଦିନ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୧୫୮/୨୫ ରେ ଏକ ମାମଲା ରୁଜୁ କରି ଗଣଦୁଷ୍କର୍ମ ମାମଲାରେ ୩ ଯୁବକକୁ ଗିରଫ କରିବା ସହ ସେମାନଙ୍କ ଡାକ୍ତରୀ ମାଇନା କରାଇଛି। ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦ କହିଛନ୍ତି ଏ ଘଟଣାରେ କାହାରିକୁ ଛଡ଼ାଯିବନାହିଁ ।