Park Photograph: (Kanak News)
କନକ ବ୍ୟୁରୋ: ମନ ଟାଣୁଥିଲା... ଭିଡ଼ ବଢ଼ୁଥିଲା । ପ୍ରାକୃତିକ ପରିବେଶ ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଲା । ହେଲେ ଆଜି ପୁରା ପରିବେଶ ଖାଁ ଖାଁ । ନା ଲୋକ ଆସୁଛନ୍ତି ନା ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଗାଙ୍ଗରାଜଗୁମ୍ମା ଇକୋ ପାର୍କ । ବର୍ଷେ ତଳେ ପିଡବ୍ଲୁଡି ଓ ପ୍ରଶାସନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହାର ଉନ୍ନତୀକରଣ କରାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଶୁଖିଯାଇଛି ନଦୀର ଜଳସ୍ରୋତ । ପର୍ଯ୍ୟଟକଙ୍କ ମନ କିଣୁଥିବା ପାର୍କ ଏବେ ଅଲୋଡ଼ା ।
ପିଡବ୍ଲୁଡି ବିଭାଗ ପକ୍ଷରୁ ୮୬ ଲକ୍ଷ ଟଙ୍କା ବ୍ୟୟରେ ଗାଙ୍ଗରାଜଗୁମ୍ମା ପାର୍କର ଉନ୍ନତିକରଣ କରାଯାଇଥିଲା । ପାହାଡ ଉପରେ କଟେଜ୍ ସହ ଭ୍ୟୁ ପଏଣ୍ଟ, ଆଲୋକୀକରଣ ବ୍ୟବସ୍ଥା, ଶୌଚାଳୟ ଆଦି ନିର୍ମାଣ କରିଥିଲା ପୂର୍ତ୍ତ ବିଭାଗ । ସେତିକିରେ କାମ ସାରିଦେଇ ବସିପଡ଼ିଲା । ପ୍ରଶାସନର ଉଦାସୀନତା ଯୋଗୁ ପର୍ଯ୍ୟଟକ ଏଠାରୁ ମୁହଁ ଫେରାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦିନେ ପର୍ଯ୍ୟଟକଙ୍କୁ ଟାଣୁଥିବା ଗାଙ୍ଗରାଜଗୁମ୍ମା ଇକୋ ପାର୍କ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।
Follow Us