କନକ ବ୍ୟୁରୋ : କେନ୍ଦ୍ରାପଡ଼ା ରାଜନଗରରେ ଚାଞ୍ଚଲ୍ୟ । ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକି ନେଇ ଗଣ ଦୁଷ୍କର୍ମ ଅଭିଯୋଗ । ରାଜନଗର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ରାଖୀ ପୂର୍ଣ୍ଣିମାରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସମ୍ପର୍କୀୟ ପିଉସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଯୁବକଙ୍କୁ ଉଠାଇ ଆଣି ଜେରା କରୁଛି ରାଜନଗର ପୁଲିସ ।

Advertisment
Victim
Victim Photograph: (KanakNews)

ସେପଟେ ବରଗଡ଼ ଜିଲ୍ଲା ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁର ନାବାଳିକା ଆତ୍ମାହୁତି ଘଟଣାରେ ୨ ଜଣକୁ ଅଟକ ରଖିଛି ପୁଲିସ । ପୁଲିସ ଜଣେ ତେଜରାତି ଦୋକାନୀ ଏବଂ ନାବାଳିକାଙ୍କର ଜଣେ ସଂପର୍କୀୟ ଅଜାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ପେଟ୍ରୋଲ ବିକିଥିବା ଅଭିଯୋଗରେ ତେଜରାତି ଦୋକାନୀଙ୍କୁ ପଚରାଉଚରା କରାଯାଉଛି । ସେହିପରି ନିଆଁ ଲାଗିବା ପରେ ପାଖରେ ଥିବା ସମ୍ପର୍କୀୟ ଅଜାଙ୍କୁ ମଧ୍ୟ ପଚରାଉଚରା କରୁଛି ପୁଲିସ । ସେ ଆତ୍ମଦାହ କରିବାକୁ ଯାଇ ଜଳିଗଲେ ନା ତାଙ୍କୁ ଜାଳି ଦିଆଗଲା ତା’ର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ବୁର୍ଲା ବଡ଼ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମାମଲାର ଛାନ୍‌ଭିନ୍ ପାଇଁ ୩ ଟି ଥାନାର ଆଇଆଇସିଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି । ଘଟଣାସ୍ଥଳରୁ ପୁଲିସ ପେଟ୍ରୋଲ ବୋତଲ, ଦିଆସିଲି, ଚପଲ ଜବତ କରିଛି । ପୀଡ଼ିତାଙ୍କ ଶେଷ ବୟାନର ଭିଡିଓ ମଧ୍ୟ ସଂଗ୍ରହ କରିଛି । ଏହାସହ ଏକ୍‌ଜକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପରିବାରବର୍ଗଙ୍କ ବୟାନ ରେକର୍ଡ କରିଛି ।

Rape victim
Rape victim Photograph: (KanakNews)

ଅନ୍ୟପଟେ ଦୁଷ୍କର୍ମର ଶିକାର ହୋଇଥିବା ଭଦ୍ରକ ସିମୁଳିଆ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ବିଭିନ୍ନ ରାଜନୈତିକ ଦଳର ନେତା ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ପୀଡ଼ିତା ଛାତ୍ରୀ ଟ୍ୟୁସନ୍‌ ସାରି ସାଇକେଲ୍‌ ଯୋଗେ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ । ଏହାପରେ ଛାତ୍ରୀ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଭଦ୍ରକ ଏଡିଏମ୍ଓ‌ ମିନତିଲତା ଦାସ କହିଛନ୍ତି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାପାଇଁ ସିଡିଏମ୍ଓ‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ଭଦ୍ରକ ଏସ୍‌ପି ମନୋଜ ରାଉତ କହିଛନ୍ତି । ବାଲେଶ୍ବର ଡିଆଇଜି ଡ. ସତ୍ୟଜିତ ନାୟକ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।