କନକ ବ୍ୟୁରୋ : ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ । ଅଗ୍ରପୂଜ୍ୟଙ୍କ ଆଗମନରେ ସବୁଠି ଆଧ୍ୟାତ୍ମିକତାର ମାହୋଲ । ବିଭିନ୍ନ ସ୍ଥାନରେ ଶୋଭା ପାଉଛି ବିଘ୍ନ ବିନାଶକଙ୍କ ନିଆରା ପ୍ରତିମା । କେଉଁଠି ଚାଉଳରେ ତ କେଉଁଠି ବହିରେ ପୁଣି ଆଉ କେଉଁଠି ଶୋଭା ବଢ଼ାଉଛି ଫଳମୂଳରେ ପ୍ରସ୍ତୁତ ଗଣପତିଙ୍କ ମୂର୍ତ୍ତି ।
ସୁଉଚ୍ଚ ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ । ସିଜୁଆ ଠାରେ ପୂଜା କମିଟି ପକ୍ଷରୁ ରାମାୟଣର ସୀତାହରଣ ଥିମରେ ମଣ୍ଡପ ସଜ୍ଜା ଯାଇଥିବା ବେଳେ ବଡ଼ଗଡ଼, ନୟାପଲ୍ଲୀ, ବରମୁଣ୍ଡା ଇତ୍ୟାଦି ମଣ୍ଡପରେ ବିଶାଳକାୟ ମୂର୍ତ୍ତୀ ପୂଜା ପାଉଛନ୍ତି ।
ସିଲଭର୍ ସିଟି କଟକର ବିଭିନ୍ନ ସ୍ଥାନରେ ବେଶ ଧୂମଧାମରେ ଅନୁଷ୍ଠିତ ହେଉଛି ଗଣେଷ ପୂଜା । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଭିନ୍ନ ଭିନ୍ନ ଥିମରେ ପୂଜା ମଣ୍ଡପ ସଜାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ସମ୍ବଲପୁରର କ୍ଷେତରାଜପୁରରେ ସେଓରେ ତିଆରି ହୋଇଛି ନିଆରା ଗଣେଶ ମୂର୍ତ୍ତି । ପ୍ରାୟ ୧୫ଶହ କେଜି ସେଓରେ ଗଢ଼ାହୋଇଛି ୨୮ଫୁଟର ସୁଉଚ୍ଚ ମୂର୍ତ୍ତି । ନଟରାଜ କ୍ଲବ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳୁଥିବାରୁ ଏଥର ନିଆରା ଓ ଆକର୍ଷିତ ମୂର୍ତ୍ତି ଗଢ଼ିଛନ୍ତି ।
ତାଳେଚରର ଗଣପର୍ବ ଗଣେଶ ପୂଜା । ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଗଜାନନ । ଅପରେସନ ସିନ୍ଦୂର ଥିମରେ ସଜାଯାଇଛି ପୂଜାମଣ୍ଡପ । ଯେଉଁଠାରେ ଭାରତୀୟ ଯବାନଙ୍କ ସୌର୍ଯ୍ୟ ପ୍ରଦର୍ଶିତ କରାଯାଇଛି । ବାଲେଶ୍ୱର, ଯାଜପୁର, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ ଧୂମଧାମରେ ଗଣପତିଙ୍କୁ ଆବାହନ କରାଯାଇଛି ।
ବର୍ଷକର ଅପେକ୍ଷାର ଅନ୍ତ ପରେ ପୁଣିଥରେ ଧରାକୁ ବିରାଜିଛନ୍ତି ବିଘ୍ନରାଜ । ଅଗ୍ରପୂଜ୍ୟଙ୍କ ଆରାଧନା ସହ ଆରମ୍ଭ ହୋଇଛି ପାର୍ବଣ ଋତୁ ।