ପାଳନ ହେଉଛି ଗାନ୍ଧୀ ଜୟନ୍ତୀ କିନ୍ତୁ ଅବହେଳିତ ସ୍ମୃତିପୀଠ

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳୁଛି ସାରାଦେଶ । ଓଡ଼ିଶାରେ ବି ବିଭିନ୍ନ ସ୍ଥାନରେ ହେଲା ପାଳନ ।

ଗାନ୍ଧୀ ମୋମୋରିଆଲ

ଗାନ୍ଧୀ ମୋମୋରିଆଲ Photograph: (Kanaknews)

କନକ ବ୍ୟୁରୋ: ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇରେ ରହିଛି ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠ । ୧୯୩୮ ମାର୍ଚ୍ଚ ୨୫ରେ ଏହି ପୀଠକୁ ଆସି ୭ ଦିନ ରହିଥିଲେ ମହାତ୍ମା । ଯାହା ଆଜି ଅବହେଳିତ । ୨ ବର୍ଷ ହେଲାଣି ଏଠାରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲେ ବି ଜରି ପାଲ ଘୋଡେଇ ରଖାଯାଇଛି। ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ସ୍ଥାନ ପାଲଟିଛି ଗୋରୁ ଗାଈଙ୍କର ଚରାଭୂଇଁ । ଅଞ୍ଚଳବାସୀଙ୍କ ଦାବି, ଏଠାରେ ଏକ ମ୍ୟୁଜିୟମ୍, ଲାଇବ୍ରେରୀ କିମ୍ବା ଏକ ଗାନ୍ଧୀ ପାର୍କ କରାଯାଉ। ଯାହାଦ୍ବାରା ମହାତ୍ମା ଗାନ୍ଧୀଙ୍କ ବିଷୟରେ ସମସ୍ତେ ଅନେକ କଥା ଜାଣିପାରିବେ ।  

ମହାତ୍ମା ଗାନ୍ଧୀ ତାଙ୍କ ଓଡ଼ିଶା ଯାତ୍ରା ବେଳେ କଟକ ତେଲେଙ୍ଗାପେଣ୍ଠରେ ରାତ୍ରିଯାପନ କରିଥିଲେ। ତେଲେଙ୍ଗାପେଣ୍ଠର ଏହି ବରଗଛ ମୂଳେ ବସିଥିଲା ବୈଠକ। ଆଜି ବି ସେହି ବରଗଛ ମୁକସାକ୍ଷୀ ହୋଇ ରହିଛି । ସରକାର ଏହି ଜାଗାକୁ ବ୍ୟାୟାମ ସ୍ଥଳ ବା ଛୋଟ ଉଦ୍ୟାନର ରୂପ ଦେଇଛନ୍ତି ସତ, କିନ୍ତୁ ଏବେବି ପରିଚୟ ଖୋଜୁଛି ଏହି ଐତିହାସିକ ସ୍ଥଳ। କେବଳ ତେଲେଙ୍ଗାପେଣ୍ଠ ନୁହେଁ, ୧୯୨୧ରେ ପ୍ରଥମ ଓଡ଼ିଶା ଗସ୍ତ ବେଳେ କଟକ କାଠଯୋଡ଼ି ନଦୀପଠା ଆସିଥିଲେ ବାପୁ । 

ସେହି ସମୟରେ କାଠଯୋଡ଼ି ନଦୀପଠାରେ ଏକ ବିଶାଳ ଜନସଭା କରିଥିଲେ । ହେଲେ ସରକାର ଏ ସ୍ଥାନର ଉନ୍ନତି ପାଇଁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି । ଅବହେଳିତ ଅବସ୍ଥାରେ ଓଡ଼ିଶାର ଏକମାତ୍ର ଗାନ୍ଧୀ ମନ୍ଦିର, ଯାହା ସମ୍ବଲପୁର ଭତରାରେ ରହିଛି । କିଛି ମାସ ତଳେ ୫ ଲକ୍ଷ ଟଙ୍କା ଖର୍ଚ୍ଚରେ ମନ୍ଦିର ମରାମତି ହୋଇଥିଲା, ଏବେ କିନ୍ତୁ ପାଣି ଗଳୁଛି। ମନ୍ଦିରର ଗମ୍ବୁଜ ଫାଟି ଲୁହ ଛଡ଼ ଦିଶୁଛି ।  ମନ୍ଦିର ଏମିତି ଯେ କେତେବେଳେ ବି ଭାଙ୍ଗିଯାଇପାରେ । ୧୯୨୧ରୁ ୧୯୪୬ ମସିହା ଭିତରେ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ଥର ଆସିଛନ୍ତି । ବିଭିନ୍ନ ସ୍ଥାନରେ ରାତି କଟାଇଛନ୍ତି । କିନ୍ତୁ ସବୁ ଗୁଡିକ ସତେଯେମିତି ଅବହେଳିତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe