କନକ ବ୍ୟୁରୋ : ଦେଶସାରା କଂଗ୍ରେସର ପ୍ରତିବାଦ । ରାଜ୍ୟରେ ବି କଂଗ୍ରେସ ନେତାଙ୍କ ରଣହୁଙ୍କାର । ନ୍ୟାସନାଲ ହେରଲ୍ଡ ମାମଲାରେ ସୋନିଆ, ରାହୁଲଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ ଦାଖଲ କରିବା ପରେ ଏବେ ରାଜନୀତି ଜୋର ଧରିଛି । ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ନେତା ଧାରଣା ଦେଇଛନ୍ତି । ଭୁବନେଶ୍ବରରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ଦଳର ବରିଷ୍ଠ ନେତା, କର୍ମୀ ଭୁବନେଶ୍ବର ଇଡି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । କେନ୍ଦ୍ର ସରକାର ଜାଣିଶୁଣି ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ଜବାବରେ ରାଜ୍ୟ ବିଜେପି ସଭାପତି କହିଛନ୍ତି, ପ୍ରସଙ୍ଗକୁ ଡାଇଭର୍ଟ କରିବାକୁ ଉଦ୍ୟମ ହେଉଛି । ଧାରଣା ଦେଇ ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ଉଦ୍ୟମ କରୁଛି କଂଗ୍ରେସ ।
ସୋନିଆ, ରାହୁଲଙ୍କ ନାଁରେ ଇଡି ଚାର୍ଜସିଟ ଦାଖଲ କରିବା ପରେ କଂଗ୍ରେସରେ ହଲଚଲ ବଢିଛି । ବିରୋଧୀ ନେତା ବି ପ୍ରତିକ୍ରିୟା ରଖୁଛନ୍ତି । ଭୁବନେଶ୍ବର ଗସ୍ତରେ ଆସିଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବି ମୁହଁ ଖୋଲିଛନ୍ତି । କହିଛନ୍ତି, ଇଡି ଆଇନ କଂଗ୍ରେସ ତିଆରି କରିଥିଲା । ସେତେବେଳେ ଏହାକୁ ନେଇ ଅନ୍ୟଦଳ ପ୍ରଶ୍ନ ଉଠାଇଥିଲେ। ଇଡିକୁ କେନ୍ଦ୍ର ସରକାର ମନଇଚ୍ଛା ବ୍ୟବହାର କରୁଛନ୍ତି । ଏହି ସଂସ୍ଥାକୁ ବନ୍ଦ କରିଦେବା ଦରକାର । ଜବାବରେ କଟାକ୍ଷ କରିଛି ବିଜେପି।
ନ୍ୟାସନାଲ ହେରାଲ୍ଡ ମାମଲାରେ ଏପ୍ରିଲ ୨୫ରେ କୋର୍ଟ ଇଡି ଚାର୍ଜସିଟ ଉପରେ ଶୁଣାଣି କରିବେ । ପ୍ରଥମ ଥର ଲାଗି ଚାର୍ଜସିଟରେ ସୋନିଆ ଓ ରାହୁଲଙ୍କ ନାଁ ଥିବାରୁ ରାଜନୀତି ଆଗକୁ ଜୋରଦାର ହେବା ସ୍ପଷ୍ଟ ହୋଇଛି । ତେବେ ପ୍ରଶ୍ନ ଉଠୁଛି, ଇଡି ରାହୁଲ, ସୋନିଆଙ୍କୁ ଗିରଫ କରିବ ନା ଖାଲି ଡରାଉଛି?