କନକ ବ୍ୟୁରୋ : ସେ ପରିତ୍ୟକ୍ତ ଘର ହେଉ ଅବା ନିଛାଟିଆ ସ୍ଥାନ , ଘର ବାରଣ୍ଡା ସବୁଠି ଜମୁଛି ଖେଳ ଆଉ ଖେଳ । କିଏ ଖେଳେ ସତରଞ୍ଜି ତ ପୁଣି କିଏ ତାସ ଖେଳ ଏବଂ କିଏ କଉଡ଼ି ଖେଳରେ ମଜିଥା’ନ୍ତି । ପରମ୍ପରା ନାମରେ ଟଙ୍କା ପଇସାର ବ୍ୟବହାର କରି ହେଉଥିବା ଯୁଆ ଖେଳ ସାମାଜିକ ବିଶୃଙ୍ଖଳା ବଢ଼ାଉଛି । କୁମାର ପୂର୍ଣ୍ଣିମାର ସମୟ । ଆଉ ଗଞ୍ଜାମରେ ଏବେ ଜମୁଛି ଜୁଆ ଖେଳ । ଏହି ସମୟରେ ଧାନ ରୁଆ ଶେଷ ହୋଇଥାଏ ପୁଣି ଜମିରେ ହସିଲା ଫସଲ ଲହରି ଭାଙ୍ଗେ । ତେଣୁ ଧାନ ଅମଳ ପର୍ଯ୍ୟନ୍ତ ଆଉ କିଛି କାମ ନଥାଏ । କୁମାର ପୂର୍ଣ୍ଣିମାରେ ଲୋକେ ବିଭିନ୍ନ ଖେଳ ଖେଳିଥା’ନ୍ତି । ପରମ୍ପରା ଅନୁସାରେ କୁମାର ପୂର୍ଣ୍ଣିମାରେ କୁମାରୀମାନେ ଜହ୍ନି ଓଷା କରିବା ସହ ବିଭିନ୍ନ ଖେଳକୁଦ କରିଥା’ନ୍ତି । ହେଲେ ସେହି ସବୁ ଖେଳ ଏବେ ଆଉ ନାହିଁ । ସମସ୍ତେ ପସା, ସତରଞ୍ଜି, କଉଡ଼ି, ହାଟପଇଞ୍ଚ, ତାସ ଓ ପାଲି ଘୁଡ଼ି ଆଦି ଖେଳ ଖେଳନ୍ତି । କିନ୍ତୁ ଏବେ ଜିଲ୍ଲାରେ ପରମ୍ପରା ନାଁରେ ଜୁଆଖେଳ ଚାଲିଛି ।
ଯୁବ ସମାଜ ଏହି ଖେଳରେ ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଉଛନ୍ତି । ଫଳରେ ଯୁବ ସମାଜ ଏବେ ପଥଭ୍ରଷ୍ଟ ହେଉଛନ୍ତି । ତେଣୁ ପରମ୍ପରା ନାମରେ ଚାଲୁଥିବା ଜୁଆ ଖେଳକୁ ବନ୍ଦ କରିବା ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି । ଗଞ୍ଜାମ ପୁଲିସ ଜୁଆ ଖେଳକୁ ବନ୍ଦ କରିବା ପାଇଁ ଜୋରଦାର ଚଢ଼ାଉ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ୪୦ ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ ଜାରି ରହିଛି । ୨୬୦ ଜୁଆଡ଼ିଙ୍କୁ ଗିରଫ କରି ୭ ଲକ୍ଷ ୧୦ହଜର ୩୪୨ ଟଙ୍କା ଜବତ କରିଛି ପୁଲିସ । ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୧୧ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭୯ ଜଣ ଜୁଆଡ଼ିକୁ ଗିରଫ କରିବା ସହ ପ୍ରାୟ ୭ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ।