କନକ ବ୍ୟୁରୋ : ଶ୍ରୀମନ୍ଦିରର ନିୟମକୁ ମାନୁନି ଇସ୍କନ । ପରମ୍ପରା ଭାଙ୍ଗି ବାରମ୍ବାର କରୁଛି ଅଦିନିଆ ରଥଯାତ୍ରା । ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜଙ୍କ ଉଦବେଗ । ଦୁର୍ଭାଗ୍ୟଜନକ କହିଲେ ବରିଷ୍ଠ ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ ।

Advertisment

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ବିବୃତ୍ତି ଜାରି କରାଯାଇଛି । କୁହାଯାଇଛି, ଶାସ୍ତ୍ର ସମ୍ମତ ତିଥି ତଥା ପରମ୍ପରା ଉଲ୍ଲଙ୍ଘନ କରି ଇସ୍କନ ପକ୍ଷରୁ ଦେଶ ତଥା ବିଦେଶରେ ଏହାର ବିଭିନ୍ନ ମନ୍ଦିରରେ ସ୍ନାନଯାତ୍ରା ଏବଂ ରଥଯାତ୍ରାର ଆୟୋଜନ କରାଯାଉଛି । ଏସମ୍ପର୍କରେ ଦୀର୍ଘ ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ ତଥା ଏହାର ପରିଚାଳନା କମିଟିର ଅଧ୍ୟକ୍ଷ, ଗଜପତି ମହାରାଜାଙ୍କ ପକ୍ଷରୁ ଆପତ୍ତି ଉଠାଯିବା ସହ ଏଥିରୁ ବିରତ ରହିବାକୁ ଇସ୍କନ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ସ୍ତରରେ ଆଲୋଚନା ହୋଇଆସୁଥିବା ବେଳେ ଗତ ୨୦୨୧  ମସିହା ଜୁଲାଇ ୨୧ ତାରିଖରେ ଇସ୍କନ ଗଭର୍ଣ୍ଣିଂ କାଉନସିଲ୍ (ବ୍ୟୁରୋ), ମୁମ୍ବାଇ ପକ୍ଷରୁ ଶାସ୍ତ୍ର ତଥା ପରମ୍ପରା ଅନୁସାରେ ଭାରତରେ ଥ‌ିବା ସମସ୍ତ ଇସ୍କନ ମନ୍ଦିରରେ ରଥଯାତ୍ରା ନୀତି ଅନୁପାଳନ କରିବାକୁ ବିଧୁବଦ୍ଧ ନିଶୁରି ନିଆଯାଇଥିଲା । ତେବେ ବିଦେଶରେ ରଥଯାତ୍ରା ପାଳନ ସମ୍ପର୍କରେ ଇସ୍କନର ଅନ୍ତର୍ଜାତୀୟ ମହକୁମା ( ଗଭଣ୍ଡିଂ ବର୍ଜି କମିଶନ୍), ମାୟାପୁର, ପଶ୍ଚିମବଙ୍ଗ ଜିଷ୍ପତ୍ତି ନେବେ ବୋଲି ସେତେବେଳେ କୁହାଯାଇଥିଲା । ତଦନୁସାରେ, ଏନେଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଇସ୍କନର ଅନ୍ତର୍ଜାତୀୟ ମହକୁମା ( ଗଭର୍ଣ୍ଣିଂ ବଡି କମିସନ)କୁ ମଧ୍ୟ ଗଜପତି ମହାରାଜାଙ୍କ ପକ୍ଷରୁ ବାରମ୍ବାର ବାର୍ତ୍ତା ପ୍ରେରଣ କରାଯାଇଛି ।