ଆଜ୍ଞା , ୨୦୨୪ ବୁଢା ହେବାକୁ ବସିଲାଣି ଆଉ ଦିନ କେଇଟା ପରେ ଜନ୍ମ ନେବ ୨୦୨୫ ଅର୍ଥାତ୍ ନବବର୍ଷ । ନବବର୍ଷକୁ କିଏ , କେମିତି ଢଙ୍ଗରେ ପାଳନ କରିବେ ପ୍ଲାନିଂ ମଧ୍ୟ ହୋଇସାରିଲାଣି । କିଏ ବିଦେଶରେ ଜିଙ୍ଗଲ୍ ବେଲ୍ ଗୀତ ଗାଇବେ ବୋଲି ଭାବିସାରିଲେଣି ତ ଆଉ କିଏ ଓଡ଼ିଶାରେ ହିଁ ନିଜ ବନ୍ଧୁବାନ୍ଧବଙ୍କ ସହ ବୁଲିବାର ପ୍ଲାନିଂ କରିସାରିଲେଣି । ତେବେ ଆପଣ ବି ଯଦି ଓଡିଶା ଭିତରେ ବୁଲିବାକୁ ଚାହୁଁଛନ୍ତି ଏବଂ ବଣଭୋଜି କରିବା ପାଇଁ ଯୋଜନା ରଖୁଛନ୍ତି ତେବେ ଏ ଭିଡ଼ିଓଟି ଖାସ୍ ଆପଣଙ୍କ ପାଇଁ ।
ଆଜି ଆମେ ଆପଣଙ୍କୁ ଓଡିଶାର ୨ ଟି ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀ ବିଷୟରେ କହିବୁ । ଯେଉଁଠିକୁ ଆପଣ ନିଜ ସାଙ୍ଗସାଥି , ପରିବାରବର୍ଗଙ୍କ ସହ ଯାଇ ମଜା ଉଠାଇପାରିବେ । ଏହି ଜିଲ୍ଲା ୨ ଟି ହେଉଛି ଗଞ୍ଜାମ ଓ ଗଜପତି । ପ୍ରକୃତିରାଣୀର ଗୀତ ଗାଉଥିବା ଗଜପତି ଏବଂ ରେଶମର କାହାଣୀ କହୁଥିବା ଗଞ୍ଜାମ ଜିଲ୍ଲାର ୬ ଟି ଏମିତି ସ୍ଥାନ ଯାହା ଶୀତଋତୁ ଆସିଲେ ପର୍ଯ୍ୟଟକଙ୍କୁ ହାତ ଠାରି ଡାକେ । ଯେଉଁଠି ଆପଣ ପ୍ରକୃତିର ଅପରୂପ ଦୃଶ୍ୟକୁ ଅନୁଭବ କରିପାରିବେ , ଭଲ ଭଲ ସେଲ୍ଫି , ଫଟୋ ଉଠାଇବାର ମଜା ନେଇପାରିବେ ଏବଂ କିଛି ଅଭୁଲା ମୁହୂର୍ତ୍ତକୁ ସାଉଁଟିବାର ସୁବର୍ଣ୍ଣ ସୁଯୋଗ ବି ପାଇବେ । ତାହେଲେ ଆସନ୍ତୁ ଭ୍ରମଣର ଏ ଗାଡ଼ିକୁ ଆଗକୁ ଗଡ଼ାଇନେବା ।
ଗାଡ଼ି ଗଡ଼ିଲା ତପ୍ତପାଣି ..
ଆମ ଭ୍ରମଣର ଗାଡ଼ି ପ୍ରଥମେ ଅଟକେ ତପ୍ତପାଣିଠାରେ । ଓଡିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଉଷ୍ଣପ୍ରସ୍ରବଣ ତପ୍ତପାଣି ସ୍ଥାନଟି ଉଭୟ ବଣଭୋଜି ଏବଂ ବୁଲାବୁଲି କରିବା ପାଇଁ ପ୍ରକୃଷ୍ଟ ସ୍ଥାନ ଅଟେ । ଶୀତଦିନେ ଏଠାରେ ଉତ୍ତପ୍ତ ପାଣିରେ ଗାଧୋଇବାର ମଜା ହିଁ ନିଆରା । ଆଦିବାସୀ ଅଧିଷ୍ଠିତ ଏହି ଅଞ୍ଚଳରେ ଶୈବପୀଠ ଏବଂ ମୃଗବିହାର ଦେଖିବାକୁ ମିଳିବ । ସହରର ଶୋରଶବ୍ଦରୁ ବାହାରି ପ୍ରକୃତିର ବାତ୍ସା ପାଇବାକୁ ହେଲେ ଆପଣ ତପ୍ତପାଣି ଯାଇପାରନ୍ତି । ବ୍ରହ୍ମପୁରଠାରୁ ୫୦ କି.ମି. ଦୂରତାରେ ଅବସ୍ଥିତ ତପ୍ତପାଣି ଆପଣଙ୍କୁ ଏକ ଅଭୁଲା ମୁହୂର୍ତ୍ତର ଅନୁଭୂତି ଦେବ ।
ଜିରାଙ୍ଗ , ଡ଼ାକିଲାଣି ଜଲଦି ଚାଲ ..
ତପ୍ତପାଣିଠାରୁ ଆଉ ଟିକେ ଆଗକୁ ଗଲେ ଆସିଯିବ ଗଜପତି ସୀମା । ଆପଣ ଯଦି ଓଡିଶାରେ ନେପାଳର ମଜା ପାଇବାକୁ ଚାହୁଁଛନ୍ତି ଜିରାଙ୍ଗ ସ୍ଥାନଟି ଆପଣଙ୍କ ପାଇଁ ସର୍ବୋକୃଷ୍ଟ ହେବ । ଗଜପତି ଜିଲ୍ଲାରେ ଥିବା ଜିରାଙ୍ଗ ଏବଂ ଖସଡ଼ା ନବବର୍ଷ ସମୟରେ ଖୁବ୍ ଗହଳି ରହିଥାଏ । ଏଠାରେ ବୁଲିବା ପାଇଁ ଏବଂ ମନକୁ ଶାନ୍ତି ଦେଲା ଭଳି ପରିବେଶ ଆପଣଙ୍କୁ ବାରମ୍ବାର ଏଠାକୁ ଟାଣିଆଣିବ । ବୁଲାବୁଲି ପାଇଁ ବେଷ୍ଟ୍ ଥିବା ଏହି ସ୍ଥାନରେ ବଣଭୋଜି କରିବା ପାଇଁ ପାଖରେ ଥିବା ଖସଡା ଖୁବ୍ ଭଲ । ପାହାଡ଼ ଓ ଝରଣାରୁ ବୋହି ଆସୁଥିବା ପାଣି ଏବଂ ଶାନ୍ତ ପରିବେଶର ଯୁଗଳବନ୍ଦୀ ପର୍ୟ୍ୟଟକଙ୍କୁ ଏଠାକୁ ଟାଣିଆଣେ ।
ଗୀତ ଗାଇଲାଣି ଗଣ୍ଡାହାତୀ ଜଳପ୍ରପାତ ..
ଗଜପତି ଜିଲ୍ଲାର ଆଉ ଏକ ପର୍ୟ୍ୟଟନ ସ୍ଥଳୀ ହେଉଛି ଗଣ୍ଡାହାତୀ ଜଳପ୍ରପାତ । ଭୁବନେଶ୍ୱର ଠାରୁ ୨୬୬ କି.ମି. ଦୂରତାରେ ଥିବା ଗଣ୍ଡାହାତୀ ଜଳପ୍ରପାତ ପ୍ରକୃତିର ସୁନ୍ଦରତା କାରଣରୁ ଶୀତଦିନେ ଖାସ୍ କରି ନବବର୍ଷ ସମୟରେ ହଜାର ହଜାର ପର୍ୟ୍ୟଟକଙ୍କୁ ଏଠାକୁ ଡାକିଆଣେ । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରୁ ୩୦ କି.ମି. ଦୂରତାରେ ଥିବା ଗଣ୍ଡାହାତୀ ଜଳପ୍ରପାତ ପିକନିକ୍ ପାଇଁ ମଧ୍ୟ ଏକ ବେଷ୍ଟ ସ୍ଥାନ । ତେଣୁ ଆଉ ଡେରି କାହିଁକି ନିଜ ଗ୍ରୁପ୍ ସହ ବସି ପ୍ଲାନିଂ କରନ୍ତୁ ଆଉ ଏହି ଜଳପ୍ରପାତକୁ ଆସି ଏଞ୍ଜୟ କରନ୍ତୁ ।
ଚାଲ ବୁଲିଯିବା ବୁଦ୍ଧଖୋଲ ..
ଗଞ୍ଜାମ ଜିଲ୍ଲା କଥା ଯେତେବେଳେ ଆସେ ବୁଦ୍ଧଖୋଲ ପର୍ୟ୍ୟଟନସ୍ଥଳୀର ନାଁ ଆମ ମୁଣ୍ଡକୁ ଆଗ ଆସେ । ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକରୁ ୯୨ କି.ମି. ଭିତରକୁ ଗଲେ ପଡେ ବୁଦ୍ଧଖୋଲ । ଏହି ସ୍ଥାନକୁ ସବୁଜିମାଭରା ବଡ ବଡ ଗଛ,ଗୁମ୍ଫା,ମନ୍ଦିର ଏବଂ ଝରଣା ଆଦି ପ୍ରକୃତିର ଗନ୍ତାଘର କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଏଠାକାର ପଞ୍ଚ ମହାଦେବ ମନ୍ଦିରର ଦର୍ଶନ ପାଇଁ ଲୋକମାନେ ଗହଳି ଲଗାନ୍ତି । ଶୀତଋତୁରେ ଏହି ସ୍ଥାନର ଚତୁଃପାର୍ଶ୍ବ ଖୁବ୍ ରମଣୀୟ ହୋଇଉଠେ ।
ଭୁଲିହେବନି ବଟେଶ୍ବର ସମୁଦ୍ର ..
ସେହିଭଳି ଗଞ୍ଜାମ ଜିଲ୍ଲାର ରମ୍ଭାରେ ଅବସ୍ଥିତ ବାବା ବଟେଶ୍ୱରଙ୍କ ମନ୍ଦିର ବୁଲିବା ପାଇଁ ଏବଂ ବଣଭୋଜି କରିବା ପାଇଁ ଏକ ଖୁବ୍ ଭଲ ସ୍ଥାନ । ମନ୍ଦିର ପାଖରେ ସମୁଦ୍ର ଥିବାରୁ ଏଠାରେ ଉଭୟ ବୁଲିବା ଏବଂ ବଣଭୋଜି କରିବାର ମଜା ଆପଣ ଉଠାଇପାରିବେ ।
ମନ କିଣିନେବ ମହେନ୍ଦ୍ରଗିରି ..
ଗଜପତି ଜିଲ୍ଲାର ନାଁ ଆସିବ ଆଉ ମହେନ୍ଦ୍ରଗିରି ନାଁ ଆସିବନି ଏ କ’ଣ ସମ୍ଭବ । ପାହାଡ଼ , ଜଙ୍ଗଲ , ଝରଣା ଘେରା ମହେନ୍ଦ୍ରଗିରିର ସୌନ୍ଦର୍ୟ୍ୟ ଯେତେ ବଖାଣିଲେ ବି କମ୍ ପଡ଼ିବ । ବାଇକରଙ୍କର ତ ଏବେ ପ୍ରଥମ ପସନ୍ଦ ମହେନ୍ଦ୍ରଗିରି । ପୌରାଣିକ ଛାପ ଭିତରେ ମନ୍ତ୍ରମୁଗ୍ଧ କଲା ଭଳି ସବୁଜିମା ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଯେମିତି ଏଠି ଗହଳି ଲାଗେ । ତେବେ ଆଉ କାହାକୁ ଅପେକ୍ଷା କରିଛନ୍ତି , ଶୀତ ଯିବା ପୂର୍ବରୁ ନବବର୍ଷରେ ଓଡ଼ିଶାର ଏହି ସବୁ ସୁନ୍ଦର ସ୍ଥାନକୁ ଏକ୍ସପ୍ଲୋର୍ କରନ୍ତୁ । ପିକନିକ୍ କରନ୍ତୁ , ଭ୍ରମଣରେ ଯାଆନ୍ତୁ , ମେଞ୍ଚେ ଫଟୋ ଉଠାଇ ସୋସିଆଲ୍ ମିଡ଼ିଆରେ ପୋଷ୍ଟ୍ କରି ନବବର୍ଷକୁ ଉପଭୋଗ କରନ୍ତୁ ।