କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ଗଜପତି ଜିଲ୍ଲାର ତଳିଆ ଅଞ୍ଚଳ । ବାତ୍ୟା ଆଶ୍ରୟସ୍ଥଳୀ ସମେତ ବିଭିନ୍ନ ସ୍ଥାନ ବୁଲି ଦେଖିଲେ ଜିଲ୍ଲାପାଳ । ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ତଳି ଅଞ୍ଚଳରେ ବର୍ଷାଜଳ ଜମିବା ସହ ବଂଶଧାରା ଓ ମହେନ୍ଦ୍ର ତନୟା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆହୁରି ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ କାଶୀନଗର ନିକଟସ୍ଥ ବଂଶଧାରା ନଦୀ ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ।

Advertisment

ସେପଟେ ଡ୍ୟାମକୁ ମାଛ ଧରିବାକୁ ଯାଇ ଯୁବକ ନିଖୋଜ । ୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ବି ମିଳୁନି ପତ୍ତା । ଗଜପତି ମୋହନା ଅଡ଼ବାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଅଡ଼ବା ଗାଁର ଯୁବକ ସୁବ୍ରତ ନାୟକ ସମେତ ୮ ଜଣ ମାଛ ଧରିବାକୁ ଡ୍ୟାମକୁ ଯାଇଥିଲେ । ଅନ୍ୟ ୭ ଜଣ ଘରକୁ ଫେରିଥିବା ବେଳେ ସୁବ୍ରତ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ଜାଗାରେ ଖୋଜାଖୋଜି ପରେ ମଧ୍ୟ ପୁଅର ପତ୍ତା ମିଳିନାହିଁ । ଥାନାରେ ଅଭିଯୋଗ କରିଥିଲେ ଅଡ଼ବା ଥାନା ପୁଲିସ ଓ ଅଗ୍ନିଶମ ବାହିନୀ । ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଥିଲେ ମଧ୍ୟ ସୁବ୍ରତଙ୍କ ପତ୍ତା ମିଳୁନାହିଁ। ସୁବ୍ରତଙ୍କ ସହ ମାଛ ଧରିବାକୁ ଯାଇଥିବା ୭ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।