କନକ ବ୍ୟୁରୋ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ୍‌)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଶ୍ରୀ ଗଜାନନ ଏସ୍‌ କାଲେ ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଦ୍ୟୁତ ବିତରଣ କ୍ଷେତ୍ରରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟର ଅଭିଜ୍ଞତା ରଖିଥିବା ଶ୍ରୀ କାଲେ ଦେଶର ବହୁ ନାମୀଦାମୀ ବିଦ୍ୟୁତ ବିତରଣ କମ୍ପାନୀରେ ଗୁରୁ ଦାୟିତ୍ଵ ବହନ କରିଛନ୍ତି । ସେ ନାଗପୁର ସ୍ଥିତ ‘ଏନଆଇଟି’ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ହାସଲ କରିଥିବାବେଳେ ଆଇଆଇଏମ୍‌ ଅହମ୍ମଦାବାଦରୁ ପରିଚାଳନା କ୍ଷେତ୍ରରେ ଡିଗ୍ରି ହାସଲ କରିଛନ୍ତି ।

Advertisment

ବିଦ୍ୟୁତ ବିତରଣ ଓ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ ୩୩ ବର୍ଷର ଅଭିଜ୍ଞତା ରହିଛି । ନିଜର ଅଭିମତ ରଖି ଶ୍ରୀ କାଲେ କହିଛନ୍ତି ଯେ, “ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ଟିପିଏନଓଡିଏଲ ସର୍ବଦା ପ୍ରତିଶୃତିବଦ୍ଧ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଅଭିନବ ପରିଚାଳନା ପଦ୍ଧତି ଦ୍ଵାରା ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଆମର ସର୍ବଦା ଲକ୍ଷ୍ୟ ।

ଟିପିଏନଓଡିଏଲର ସିଇଓ ଭାବେ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ଶ୍ରୀ କାଲେ ଦିଲ୍ଲୀ ବିଦ୍ୟୁତ୍ ବିତରଣ ନିଗମ ତଥା ‘ଟିପିଡିଡିଏଲ’ର ସିଇଓ ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ । ଏହା ପୂର୍ବରୁ ସେ ଓଡିଶାର ଟିପିଡବ୍ଲ୍ୟୁଡିଏଲ, ଆଜମେରର ‘ଟିପିଏଡିଏଲ’ ରେ ମଧ୍ୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି । ତେବେ ଟିପିଡିଡିଏଲ’ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଟିପିଏନଓଡିଏଲ ପୂର୍ବତନ ସିଇଓ ଶ୍ରୀ ଦ୍ୱିଜଦାସ ବସାକଙ୍କ ବଦଳି ହୋଇଛି ।

ସୂଚନାଥାଉକି ଟିପିଏନଓଡିଏଲ ପ୍ରାୟ ୯୭ଲକ୍ଷ ଲୋକଙ୍କୁ ବିଜୁଳି ସେବା ଯୋଗାଉ ଥିବାବେଳେ ୨୦ ଲକ୍ଷରୁ ଅଧିକ ପଞ୍ଜୀକୃତ ଉପଭୋକ୍ତା ଅଛନ୍ତି । ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ୨୭ହଜାର ୯୨୦ ବର୍ଗ କିଲୋମିଟର ଅଞ୍ଚଳକୁ ଟିପିଏନଓଡିଏଲ ବିଦ୍ୟୁତ ବିତରଣ କରୁଛି ।