କନକ ବ୍ୟୁରୋ: ତରବରିଆ ଭାବରେ ଷ୍ଟାଡିୟମ ପ୍ରସ୍ତୁତ କରି ଦିନେ ବାଃ ବାଃ ନେଇଥିବା ପାକିସ୍ତାନକୁ ଏବେ ଅନ୍ତର୍ଜାତୀୟ ସ୍ତରରେ ଅପଦସ୍ତ ହେବାକୁ ପଡ଼ିଛି । ଏହାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲ ଖେଳାଯିବାକୁ ଥିବା ଷ୍ଡାଡିୟମ ଛାତରୁ ପ୍ରବଳ ବର୍ଷା ପରେ ପାଣି ଗଳିବା ଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଯାହାକୁ ନେଇ ପିସିବିକୁ ଏବେ ଉତ୍ତରଦାୟୀ ହେବାକୁ ପଡ଼ିପାରେ ।  

Advertisment

ଚାମ୍ପିୟନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ବୁଧବାର ମାର୍ଚ୍ଚ ୫ ତାରିଖରେ ଏହି ମ୍ୟାଚ୍ ଗଦ୍ଦାଫି ଷ୍ଟାଡିୟମରେ ଖେଳାଯିବ । ଏହି ଷ୍ଟାଡିୟମକୁ ପୁନଃନିର୍ମାଣ କରିବା ପାଇଁ PCBକୁ ୧୦୦ ଦିନ ସମୟ ଲାଗିଥିଲା । ପାକିସ୍ତାନ ଦାବି କରିଥିଲା ଯେ ଏହି ଷ୍ଟାଡିୟମର ନବୀକରଣ ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ହେଲେ ଏବେ ବୋର୍ଡର ଗୁମର କଥା ପଦାରେ ପଡ଼ିଛି । 

ଗଦ୍ଦାଫି ଷ୍ଟାଡିୟମର ନବୀକରଣ ପାଇଁ ପ୍ରାୟ ୫୦୦ କୋଟି ପାକିସ୍ତାନୀ ଟଙ୍କା ଖର୍ଚ୍ଚ ହୋଇଛି ।   ଏଠାରେ ବସିବା ବ୍ୟବସ୍ଥା ଏବଂ ଫ୍ଲଡ୍‌  ଲାଇଟ୍ ସମେତ କିଛି ନୂତନ କୋଠା ମଧ୍ୟ ନିର୍ମାଣ କରାଯାଇଥିଲା । ଅତି କମ୍‌ ସମୟରେ ଏହି ଷ୍ଟାଡିୟମର ନବୀକରଣ କରାଯାଇଥିଲା । ଚାମ୍ପିୟନ୍ସ ଟ୍ରଫିର ମାତ୍ର କିଛି ଦିନ ପୂର୍ବରୁ ଷ୍ଟାଡିୟମ ପ୍ରସ୍ତୁତ କରି ବାଃ ବାଃ ନେଇଥିଲା ପିସିବି । ହେଲେ ଏବେ ପାକିସ୍ତାନରେ ଅସରାଏ ବର୍ଷା ପରେ ଷ୍ଟାଡିୟମର ଛାତରୁ ପାଣି ଗଳୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଏବେ ପାକିସ୍ତାନ ଲୋକହସାର ସମ୍ମୁଖୀନ ହେଉଛି ।

ଫେବୃଆରୀ ୨୮ରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ପିସିବି ବୋର୍ଡ ଗ୍ରାଉଣ୍ଡ ଶୁଖାଇବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିନଥିଲା, ଏପରିକି ବର୍ଷା ସମୟରେ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ଘୋଡାଯାଇ ପାରିନଥିଲା । ଏଥିପାଇଁ ପିସିବିକୁ ଉତ୍ତରଦାୟୀ ହେବାକୁ ପଡ଼ିଥିଲା । ଏବେ ଷ୍ଟାଡିୟମର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ଭାଇରାଲ ଭିଡିଓରେ, ଗଦ୍ଦାଫି ଷ୍ଟାଡିୟମର ଏକ ଛାତରୁ ପାଣି ଗଳୁଥିବା ଦେଖାଯାଉଛି । ଭିଡିଓଟି ମ୍ୟାଚ୍ ଦେଖିବାକୁ ଆସିଥିବା ଜଣେ ବ୍ୟକ୍ତି ସେୟାର କରିଥିଲେ । ସେଠାରେ ଥିବା ଅନ୍ୟ ଦର୍ଶକମାନେ ବର୍ଷା ଯୋଗୁଁ ନାହିଁନଥିବା ହନ୍ତସନ୍ତ ହୋଇଥିଲେ ।  

ଭାରତ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ସ୍ଥାନ ପାଇଛନ୍ତି । ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମାର୍ଚ୍ଚ ୪ରେ ଦୁବାଇରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲ ମାର୍ଚ୍ଚ ୫ରେ ଗଦ୍ଦାଫି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ।