କନକ ବ୍ୟୁରୋ : ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଫିଲ୍ମ 'ଗଦର-୨'କୁ ମୁକ୍ତିଲାଭ କରିବାର ଦୁଇ ବର୍ଷ ପୂରିଛି । ବର୍ତ୍ତମାନ ଏହାର ନିର୍ଦ୍ଦେଶକ ଅନିଲ ଶର୍ମା ଫିଲ୍ମର ଭବିଷ୍ୟତ ଯୋଜନା ବିଷୟରେ ସୂଚନା ଦେଇଛନ୍ତି । ଏକ ସାକ୍ଷାତକାରରେ ଅନିଲ ଶର୍ମା 'ଗଦର-୨'ର ସବୁଠାରୁ ଖାସ୍ କଥା କହିବା ସହିତ 'ଗଦର-୩' ପାଇଁ ଯୋଜନା ଚାଲିଥିବା କଥା ମଧ୍ୟ କହିଛନ୍ତି ।
ଅନିଲ ଶର୍ମା କହିଛନ୍ତି ଯେ 'ଗଦର-୨'ର ସବୁଠାରୁ ଭଲ କଥା ହେଉଛି, ପ୍ରଥମ ଭାଗରେ ଶିଶୁ କଳାକାର ଭୂମିକାରେ ଥିବା ଉତ୍କର୍ଷ ଶର୍ମା ବଡ଼ ହୋଇ ପୁଣି ସେହି ଭୂମିକାରେ ନଜର ଆସିଲେ । ସେ କହିଛନ୍ତି, "ବୋଧହୁଏ ଏହା ପ୍ରଥମ ଥର, ଯେତେବେଳେ ଜଣେ ଶିଶୁ କଳାକାର ବଡ଼ ହୋଇ ସେହି ଭୂମିକାକୁ ପୁଣିଥରେ ନିଭାଉଛନ୍ତି ।" ଫିଲ୍ମ ନିର୍ମାଣ ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା କାହାଣୀକୁ ପ୍ରଥମ ଭାଗରୁ ଆଗକୁ ବଢ଼ାଇବା । ଅନିଲ ଶର୍ମା କହିଛନ୍ତି, "ଆମକୁ କାହାଣୀକୁ ଆଗକୁ ନେବା ପାଇଁ ବହୁତ ସମୟ ଧରି ଚିନ୍ତା କରିବାକୁ ପଡ଼ିଲା । ଯେତେବେଳେ କାହାଣୀଟି ଠିକ୍ ଭାବରେ ଗଢ଼ିହେଲା, ସେତେବେଳେ ଅପେକ୍ଷା ସଫଳ ହେଲା ବୋଲି ଲାଗିଲା ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ 'ଗଦର' ଦର୍ଶକଙ୍କ ହୃଦୟରେ ଘର କରିଥିଲା । ଗତ ୨୦ ବର୍ଷ ଧରି ସମସ୍ତେ ମୋତେ ପଚାରୁଥିଲେ ଯେ ମୁଁ 'ଗଦର-୨' କାହିଁକି କରୁନି । ମୋତେ ଜଣାଥିଲା ଯେ ଲୋକମାନେ ଏହି ଚରିତ୍ରଗୁଡ଼ିକୁ ବହୁତ ଭଲ ପାଆନ୍ତି । ମୋତେ ଫିଲ୍ମର ସଫଳତା ଉପରେ ପୂରା ବିଶ୍ୱାସ ଥିଲା । ବାସ୍ତବରେ, ମୁଁ ରିଲିଜ୍ ପୂର୍ବରୁ ହିଁ କହିଥିଲି ଯେ ଏହି ଫିଲ୍ମ ୫୦୦ କୋଟି ଟଙ୍କା ଆୟ କରିବ । ଭଗବାନଙ୍କୁ ଧନ୍ୟବାଦ ଯେ ସେ ମୋ କଥା ଶୁଣିଲେ ।"
ସେ ସ୍ପଷ୍ଟ କରିଛନ୍ତି ଯେ 'ଗଦର-୩' ଉପରେ କାମ ଆରମ୍ଭ ହୋଇସାରିଛି । ଫିଲ୍ମର ଚରିତ୍ରମାନଙ୍କ ସହ ଜଡ଼ିତ ଭଲ ପାଇବା ହିଁ ଏହାକୁ ଏକ ପରମ୍ପରା କରି ଗଢ଼ି ତୋଳିଛି । କାହାଣୀ ଆଗକୁ ବଢ଼ିବ କାରଣ ଦର୍ଶକଙ୍କ ହୃଦୟରେ ଏହି କାହାଣୀ ଓ ଚରିତ୍ରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।