କନକ ବ୍ୟୁରୋ : ଗଛ ମୂଳେ ସପ ପଡ଼ିଛି । ଚେୟାର ପଡ଼ିଛି । ଚାଲିଛି ପାଠପଢ଼ା । ଏ ଚିତ୍ର ହେଉଛି ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତ ଲୁଲେର ଗାଁର । ୪ବର୍ଷ ହେଲାଣି ଗଛ ତଳେ କୁନିକୁନି ପିଲାଙ୍କୁ ବସାଇ ପଢ଼ାଉଛନ୍ତି ଅଙ୍ଗନବାଡ଼ି ଦିଦି ।
ଖାଲି ମାଥିଲି ନୁହେଁ, ପୂରା ଜିଲ୍ଲାର ଅବସ୍ଥା ଏମିତି । ମାଲକାନଗିରିରେ ରହିଛି ମୋଟ ୧୩୨୪ ଅଙ୍ଗନବାଡ଼ି କେନ୍ଦ୍ର । ସେଥିରୁ ୧୬୫ କେନ୍ଦ୍ରର ନିଜସ୍ୱ ଘର ନାହିଁ । ହେଲେ ଏହି ସମସ୍ତ କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁର ହୋଇ ସାରିଛି । ୨୦୨୪-୨୫ରେ ମଞ୍ଜୁର ହୋଇଥିବା ୯୧ଟି କେନ୍ଦ୍ରର ନିର୍ମାଣ କାମ ଅଧପନ୍ତରିଆ ହୋଇ ପଡ଼ିରହିଛି । ଖୁବଶୀଘ୍ର ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରି ଗୃହ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ ।
କେବେ ଶେଷ ହେବ ଅଙ୍ଗନବାଡ଼ି ଗୃହ ନିର୍ମାଣ କାମ? କେବେ କୋଠା ଘରେ ବସି କୁନି ପିଲା ସୁରକ୍ଷିତ ହୋଇ ପାଠ ପଢିବେ? ତାକୁ ନେଇ ଉଠିଛି ପ୍ରଶ୍ନ ।