କନକ ବ୍ୟୁରୋ : ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଏଣିକି ଫଳ ଖାଇବାକୁ ଦିଆଯିବ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପିଏମ୍ ପୋଷଣ ଅଧିକାରୀ । ଅନ୍ୟପଟେ ସରକାରୀ ସ୍କୁଲରେ ପୁଣି ଥରେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି ସରକାର ।
ଯେଉଁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ସେଓ, କଦଳୀ, ଆମ୍ବ ଭଳି ଫଳ ଦିଆଯିବ । ଏନେଇ ଗଣଶିକ୍ଷା ବିଭାଗ ଅଧିନ ପିଏମ୍ ପୋଷଣ ଯୋଜନାର ନୋଡାଲ ଅଧିକାରୀ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟାହ୍ନଭୋଜନ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ତିନି ଦିନ ଅଣ୍ଡା ଦେବାର ବ୍ୟବସ୍ଥା ରହିଛି । ସେହି ଅନୁସାରେ ସୋମବାର, ବୁଧବାର ଏବଂ ଶୁକ୍ରବାର ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଅଣ୍ଡା ଦିଆଯଏ । କିନ୍ତୁ ବହୁ ଛାତ୍ରଛାତ୍ରୀ ଅଣ୍ଡା ଖାଉନଥିବାରୁ ସେମାନଙ୍କୁ କିଛି ମିଳିନଥାଏ । ଯାହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି ।
ଅନୁଦାନପ୍ରାପ୍ତ ହାଇସ୍କୁଲ, ବ୍ଲକ୍ଗ୍ରାଣ୍ଟ ହାଇସ୍କୁଲ, ସଂସ୍କୃତ ଟୋଲ୍ ସ୍କୁଲରେ ଦିଆଯିବ ଅତିଥି ଶିକ୍ଷକ ନିଯୁକ୍ତି । ଅବସର ନେଇଥିବା ୬୩୮୭ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ । ଏ ନେଇ ବିଦ୍ୟାଳୟରେ ନିଯୁକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । ନୂଆ ଶିକ୍ଷକ ନିଯୁକ୍ତ ହେବା ଯାଏ ଏହି ଶିକ୍ଷକ ରହିବେ । ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ମାଧ୍ୟମିକ ଶିକ୍ଷା ପରିଷଦକୁ ଜଣାଇବେ । ଅତିଥି ଶିକ୍ଷକଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରହିବ । ତେବେ ହଜାର ହଜାର ସଂଖ୍ୟାରେ ଯୋଗ୍ୟ ଆଶାୟୀ ରହିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକଙ୍କୁ କାହା ସ୍ବାର୍ଥରେ ପୁନଃନିଯୁକ୍ତି ଦିଆଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।