କନକ ବ୍ୟୁରୋ: ରାତି ପାହିଲେ ସାବିତ୍ରୀ । ସେଥିପାଇଁ ବଜାର ହାଟ ଚଳଚଞ୍ଚଳ । ଚଳଚଞ୍ଚଳ, ଫଳ ବଜାର କୁହନ୍ତୁ କି ଶାଢ଼ି ଦୋକାନ ଅବା ଲେଡିସ୍ କର୍ଣ୍ଣର ସବୁଠି ଭିଡ଼ । ବର୍ଷକେ ଥରେ ଆସୁଛି ସାବିତ୍ରୀ ବ୍ରତ । ସ୍ବାମୀଙ୍କ ମଙ୍ଗଳ ପାଇଁ ମହିଳାମାନେ ରଖିଥାନ୍ତି ଏହି ବ୍ରତ । ଫଳ କଥା ତ ନକହିବା ଭଲ । ଚଢ଼ା ଦରରେ ବିକ୍ରି ହେଉଛି ଫଳ ।
ଏହି ବ୍ରତରେ ମୁଖ୍ୟ ଭାବେ ଫଳମୂଳ ନୈବେଦ୍ୟ ବଢ଼ାଯାଏ । ଏଥପାଇଁ ଫଳ ଦୋକାନରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼ । ହେଲେ ଫଳ ଦର ଏତେ ଚଢ଼ା ରହିଛି ଯେ ଛୁଇଁବାକୁ ବି ଡର ମାଡ଼ୁଛି । ଫଳ ରେଟ୍ ଦେଖିବାକୁ ଗଲେ ଆମ୍ବ କିଲୋ ପିଛା- ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ରହିଥିବା ବେଳେ ସେଓ ୨୦୦ରୁ ଆରମ୍ଭ ହେଉଛି । ସପୁରୀ ଗୋଟା ପିଛା ୫୦ ଟଙ୍କା ରହିଛି । ଡାଳିମ୍ବ ୨୦୦ରୁ ଊର୍ଦ୍ଧ୍ୱ ରହିଛି, ଲିଚୁ ୨୪୦ରୁ ଅଧିକ ରହିଛି । ନଡ଼ିଆ ଗୋଟା ୪୦ ଟଙ୍କା ରହିଛି, କଦଳୀ ଡର୍ଜନ ୯୦ରୁ ଆରମ୍ଭ ହୋଇଛି । ପଣସ ଗୋଟା ୧୦୦ଟଙ୍କାରୁ ଆରମ୍ଭ ହେଉଛି ।
ଏବର୍ଷ ବର୍ଷା ସାବିତ୍ରୀକୁ ସାମାନ୍ୟ ଫିକା କରିଦେଇଛି । ମୌସୁମୀ କେରଳ ଛୁଇଁବା ପରେ ପାଗ ଅନୁକୂଳ ରହିଛି । ଶନିବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବାରୁ କିଛି ସ୍ଥାନରେ ସାବିତ୍ରୀ ବଜାର ଫିକା ପଡ଼ିଛି । ଦାନା ବାନ୍ଧୁଥିବା ଲଘୁଚାପ ବର୍ଷା ସାବିତ୍ରୀକୁ ଏବର୍ଷ ଗୋଟିଏ ପ୍ରକାର ଫିକା କରିଛି ।
୨୭ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପାସଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏ ନେଇ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି , ପବନ ମଧ୍ୟ ବହିବାର ସୂଚନା ରହିଛି ।