କନକ ବ୍ୟୁରୋ : ୧୦୮ ସୁବାସିତ ଜଳରେ ଗାଧୋଇବା ପରେ ଶ୍ରୀଜିଉ ଅସୁସ୍ଥ ହୋଇପଡ଼ିଛନ୍ତି । ଅଣସର ପିଣ୍ଡିରେ ଚାଲିଛି ତାଙ୍କର ଚିକିତ୍ସା । ସାଆନ୍ତେ ଏବେ ଜ୍ୱରରେ , ଖାଇବାକୁ କିଛି ରୁଚୁନି । ସେଥିପାଇଁ ପରମ୍ପରା ଅନୁସାରେ କାକଟପୁରରୁ ଶ୍ରୀକ୍ଷେତ୍ର ଅଣସରକୁ ଗଲା ଫଳଭାର । ପୁରୀ ଜିଲ୍ଲା କାକଟପୁରର ମହର୍ଷି ବିଶ୍ଵାମିତ୍ର ଆଶ୍ରମରୁ ୩୫ ପ୍ରକାରର ସ୍ବାଦିଷ୍ଟ ଫଳ ପୁରୀ ଯାଉଛି । ଅଣସର ଘରେ ଥିବା ଶ୍ରୀଜିଉ ଏବେ ଅସୁସ୍ଥ ଅଛନ୍ତି । ତେଣୁ ଏହି ଫଳ ମହାପ୍ରଭୁଙ୍କୁ ଲାଗି ହେବ । ଫଳଭାର ଆଶ୍ରମରୁ ଯିବାବେଳେ ଭଜନ କୀର୍ତ୍ତନରେ କମ୍ପିଥିଲା ଆଶ୍ରମ ପରିସର ।
ଅନ୍ୟପଟେ ବଡ଼ଓଡ଼ିଆ ମଠ ପକ୍ଷରୁ ଚାଲିଛି ତେଲ ପ୍ରସ୍ତୁତି । ମଧ୍ୟାନ୍ନ ଧୂପ ପରେ ପ୍ରସ୍ତୁତ ହୋଇଥିବା ଏହି ଫୁଲୁରି ତେଲ ରାତ୍ରରେ ମହାପ୍ରଭୁଙ୍କୁ ଲାଗି କରିବେ ଦଇତାପତି ସେବକ । ବଡ଼ଓଡ଼ିଆ ମଠରୁ ପ୍ରତିବର୍ଷ ଅନବସର ସମୟରେ ଯୋଗାଇ ଦିଆଯାଏ ଫୁଲୁରି ତେଲ । ଦଇତାପତି ସେବକମାନେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କର ଜ୍ବର କମାଇବା ପାଇଁ ପ୍ରଲେପ କରିଥାନ୍ତି ଏହି ଔଷଧୀୟ ତୈଳ । ରାଜା ପ୍ରତାପ ଦେବଙ୍କ ଅମଳରୁ ବଡ଼ଓଡ଼ିଆ ମଠ ଯୋଗାଇ ଆସୁଛି ଏହି ଫୁଲୁରୀ ତେଲ ସେବା । ଘଣା ପେଡ଼ା ରାଶି ତେଲରେ କେତକୀ, ଜୁଇ ଜାଇ, ମାଳତୀ ବକୁଳ ଆଦି ସୁବାସିତ ଫୁଲ କୃଷ୍ଣଭୋଗଧାନ ଓ ବେଣାଚେର ପରି ପ୍ରାୟ ୨୭ପ୍ରକାର ଉପାଦାନ ମିଶାଯାଇ ଏହି ତେଲ ପ୍ରସ୍ତୁତ କରାଯାଏ । ପ୍ରତିବର୍ଷ ଶ୍ରୀଗୁଣ୍ଡିଚାର ହେରାପଞ୍ଚମୀ ଠାରୁ ଏହି ସବୁ ସାମଗ୍ରୀକୁ ଗୋଟିଏ ମାଟି ଘଡିରେ ପୁରାଇ ଗୁପ୍ତ ସ୍ଥାନରେ ପୋତି ରଖାଯାଇଥାଏ । ଜ୍ୟୋଷ୍ଠ ଶୁକ୍ଲ ଚତୁର୍ଦ୍ଦଶୀ ତିଥିରେ ଔଷଧୀୟ ତେଲକୁ ମଠ ମହନ୍ତ ମାଟି ତଳୁ କାଢ଼ି ମଠର ଅନ୍ୟ ଏକ କୋଠରୀରେ ଗୋପନୀୟ ଭାବେ ରଖିଥାନ୍ତି । ପଞ୍ଚମୀ ତିଥିରେ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ଡାକରା ଆସିଲେ ମଠାଧୀଶ ଏହି ତୈଳକୁ ବୈଷ୍ଣବଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ପଠାଇବା ପରେ ଦଇତାପତିମାନେ ଏହାକୁ ଶ୍ରୀଅଙ୍ଗରେ ମର୍ଦନ କରିବାର ପରମ୍ପରା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/06/16/J4YMjorPnodma6HUdSX2.jpg)