କନକ ବ୍ୟୁରୋ: ଜଣେ ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଧର୍ମଶାଳା ବ୍ଲକ ଚୋରମୁହାଁ ଗାଁର ଅକ୍ଷୟ ମଲ୍ଳିକ । ଦୀର୍ଘ ୪୦ ବର୍ଷ ଧରି ଟ୍ରକ୍ ଚଳାଇ ପରିବାର ପୋଷୁଥିଲେ । ମାତ୍ର ମହାମାରୀ କରୋନା ବଦଳାଇଦେଲା ତାଙ୍କର ପରିଚୟ । ବୃତ୍ତି ବଦଳାଇ ଆପଣାଇଲେ ଛତୁଚାଷ । ପ୍ରଥମେ ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ପରୀକ୍ଷାମୂଳକଭାବେ ଦୁଇଟି ଛତୁ ବେଡ ପକାଇ ଛତୁଚାଷ ଆରମ୍ଭ କରିଥିଲେ । ଧୀରେଧୀରେ ଏହାକୁ ବ୍ୟବସାୟରେ ପରିଣତ କରି ବଡ଼ ଆକାରରେ ବନାଇଛନ୍ତି ଛତୁଫାର୍ମ । ବର୍ଷା ଦିନେ ପାଳଛତୁ ଓ ଶୀତ ଦିନେ ଧିଙ୍ଗିରି ଛତୁ ଚାଷୁକରି ସ୍ୱାବଲମ୍ବୀ ହେବା ସହ ବାର୍ଷିକ ୬ ଲକ୍ଷରୁ ୭ ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି ।
ଏହା ବି ପଢ଼ନ୍ତୁ: ହାଇକୋର୍ଟ ଏଏସ୍ଓ ପରୀକ୍ଷାରେ ବଡ଼ ଘୋଟାଲା ; ୬ ଜଣଙ୍କୁ ବାନ୍ଧିଲା କମିସନରେଟ୍ ପୁଲିସ୍
ବର୍ଷଯାକ ଛତୁ ଚାଷ ପାଇଁ ସ୍ଥାନୀୟ ଅଂଚଳରୁ ନଡା ସଂଗ୍ରହ କରି ରଖିଥାନ୍ତି ଅକ୍ଷୟ । ନଡ଼ା ଗୁଡ଼ିକୁ କାଟି ଭିଜାଇବା ପାଇଁ ପାଣି କୁଣ୍ଡରେ ୧୨ ଘଣ୍ଟ ଯାଏ ରଖିବା ପରେ ତାକୁ ହାଲୁକା ଖରାରେ ଶୁଖାଇ ଛତୁ ବେଡ୍ ପ୍ର ସ୍ତୁତ କରାଯାଏ । ୨୦ରୁ ୨୫ ଦିନ ମଧ୍ୟରେ ଛତୁ ଫୁଟିବା ଆରମ୍ଭ କରିଥାଏ । ଅକ୍ଷୟ ପ୍ରତିଦିନ ପ୍ରାୟ ୩ ହଜାର ଟଙ୍କାର ଛତୁ ବିକ୍ରି କରୁଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ତାଙ୍କ ଘରେ ପହଞ୍ଚି କିଣିନିଅନ୍ତି । ଅକ୍ଷୟଙ୍କ ଏହି ବ୍ୟବସାୟରେ ତାଙ୍କର ପୂରା ପରିବାର ସହଯୋଗ କରିଥାଆନ୍ତି । ଏହି ବ୍ୟବସାୟରୁ ସେ ତାଙ୍କ ପରିବାର ପ୍ରତିପୋଷଣ କରିବା ସହ ପିଲାମାନଙ୍କ ପଢ଼ା ଖର୍ଚ୍ଚ ମଧ୍ୟ ତୁଲାଇବାରେ ସକ୍ଷମ ହୋଇପାରିଛନ୍ତି । ନିଷ୍ଠା ଓ ଏକାଗ୍ରତା କିପରି ଜଣକୁ ବ୍ୟବସାୟିକ ସଫଳତା ଆଣିଦେଇଥାଏ ଅକ୍ଷୟଙ୍କ ଛତୁ ଚାଷ ହେଉଛି ତାହାର ଉଦାହରଣ ।
Follow Us