କନକ ବ୍ୟୁରୋ: ଲଗାତର ତିନିଦିନ ଧରି କାଳବୈଶାଖୀର ତାଣ୍ଡବ ପରେ ଆସନ୍ତାକାଲି ପାଗ ସ୍ବାଭାବିକ ରହିପାରେ । ତେବେ ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପାଇଁ ଘଡ଼ଘଡ଼ି ବିଜୁଳି ନେଇ ସତର୍କତା ଜାରି ହୋଇଛି । ତେବେ ବାକି ଜିଲ୍ଲାରେ ପାଗ ସ୍ବାଭାବିକ ରହିବ ବୋଲି କୁହାଯାଉଛି । 

Advertisment

ସେପଟେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । କାଳବୈଶାଖୀ ବର୍ଷା ଓ ପବନରେ ବ୍ୟାପକ କ୍ଷତି ପରେ ଗ୍ରାଉଣ୍ଡରେ ବୁଲୁଛନ୍ତି ମନ୍ତ୍ରୀ । ଆଜି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ପ୍ରଭାବିତ ଅଞ୍ଚଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।  ବାଙ୍ଗିରିପୋଷିର ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ପରେ ଲୋକଙ୍କ ସହ ଆଲୋଚନା କରିଛନ୍ତି । କ୍ଷତିଗ୍ରସ୍ତଙ୍କୁ ଭେଟି କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି ମନ୍ତ୍ରୀ ।  

ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ମୁଗ ଫସଲ ଏବଂ ପରିବା ଫସଲ ବ୍ୟାପକ କ୍ଷତି ହୋଇଛି । ଅଦିନିଆ କାଳ ବୈଶାଖୀ ପ୍ରଭାବରେ ପନିପରିବା ଓ ମୁଗ କିଆରୀରେ ଜମି ରହିଛି ପାଣି । ଲଗାତର ୪ ଘଣ୍ଟା ଧରି ବର୍ଷା, ଚାଷୀଙ୍କ ଅନେକ କ୍ଷତି କରିଛି । ମୁଗ ଫସଲଠୁ ନେଇ ଅମଳ ହେବାକୁ ଥିବା ବିଭିନ୍ନ ପନିପରିବା ଚାଷ ଉଜୁଡି ଯାଇଛି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଫସଲ କରିଥିବା ଚାଷୀ ଏବେ ଧାର କରଜ କିଭଳି ସୁଝିବ ସେ ନେଇ ଚିନ୍ତାରେ ପଡିଛି ।