କନକ ବ୍ୟୁରୋ: ୧୪ ତାରିଖ ଆଶ୍ବିନ ଶୁକ୍ଳପକ୍ଷ ମୂଳାଷ୍ଟମୀ ତିଥିରୁ ଦୈବୀ ପାର୍ବଣର ପ୍ରଥମ ପର୍ବ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ । ୨୯ ତାରିଖ ଯାଏଁ ଏହି ପୂଜାବିଧି ଚାଲିବ । ଏକାମ୍ର ପୀଠସ୍ଥିତ ଅଷ୍ଟଚଣ୍ଡୀଙ୍କ ପୀଠ ସହ ବିଭିନ୍ନ ଦେବୀ ପୀଠରେ ଷୋଳପୂଜା ଆରମ୍ଭ ହେବ । ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅଷ୍ଟଚଣ୍ଡୀ, ମା’ ଗୌରୀ ଓ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପୂଜା ପାଉଥିବା ମା’ ଭୁବନେଶ୍ବରୀଙ୍କୁ ବିଭିନ୍ନ ବେଶରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ ।
ଏକାମ୍ର କ୍ଷେତ୍ରର ବିଭିନ୍ନ ସ୍ଥାନରେ ରହିଛି ଅଷ୍ଟଦେବୀଙ୍କ ମନ୍ଦିର ବା ପୀଠ । ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ବରୀଙ୍କର ସ୍ବତନ୍ତ୍ର ପାରମ୍ପରିକ ପୂଜା କରାଯାଏ । ପୁରୀ ଗଜପତି ମହାରାଜଙ୍କ ରାଜଗୁରୁ ଆସି ମନ୍ଦିର ପୁରୋହିତଙ୍କ ପାଖରେ ସଙ୍କଳ୍ପ କରି ପୂଜା କରିଥାନ୍ତି । ଷୋହଳ ଦିନ ଯାଏଁ ରାଜଗୁରୁ ଏଠାରେ ରହି ପୂଜାର୍ଚ୍ଚନା କରିବେ ଏବଂ ମହାରାଜାଙ୍କ ମଙ୍ଗଳ କାମନା କରିବେ । ଏହାବ୍ୟତୀତ ଜଗନ୍ନାଥ ମଠ ରୋଡରେ ଥିବା ମା’ ଦକ୍ଷିଣ ଚଣ୍ଡୀ, ସାମନ୍ତରାପୁରରେ ଥିବା ମା’ ଭୁବାସିନୀ , କେଦାରଗୌରୀଠାରେ ମା’ ଗୌରୀ, ବିନ୍ଦୁସାଗର କୂଳରେ ଥିବା ମା’ ଦ୍ବାରବାସିନୀ, ବଡ଼ୁସାହିର ମା’ ମହନୀ ଦେବୀଙ୍କ ନିକଟରେ ଷୋଡ଼ଶ ପୂଜା ହେବ । କେବଳ ଏହିଠାରେ ନୁହେଁ ରାଜ୍ୟର ସମସ୍ତ ଦେବୀ ପୀଠରେ କାଲିଠୁ ଆରମ୍ଭ ହେବ ଷୋଳ ଉପଚାର ।