କନକ ବ୍ୟୁରୋ : ଭୋଟ ଅଧିକାର ରାଲି ପରେ ବିହାର ଅଧିକାର ରାଲି । ଆଜିଠୁ ଆରଜେଡି ଏକାକୀ ଆରମ୍ଭ କରିଛି ଏହି ରାଲି । ୧୧ଜିଲ୍ଲା ବୁଲିବେ ତେଜସ୍ବୀ ଓ ଜନତାଙ୍କୁ ରାଜ୍ୟର ବେକାରୀ, ମହିଳା ସୁରକ୍ଷା,ଚାଷୀ, ମୁଦ୍ରାସ୍ଫୀତି ସମ୍ବନ୍ଧିତ ସମସ୍ୟା ଜଣାଇବେ । ୧୧ ଜିଲ୍ଲା, ୫ଦିନର ଯାତ୍ରା ।
ସେପଟେ ବିହାର ବିଧାନସଭା ନିର୍ବାଚନ ଯେତେ ପାଖ ହେଉଛି, ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସବୁ ରାଜନୈତିକ ଦଳ ଓ ନେତା ସେତେ ଦମ୍ ଲଗାଇ ଦେଇଛନ୍ତି । ଏହିକ୍ରମରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ବିନାସୁଧରେ ଶିକ୍ଷାଋଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦ୍ୱାଦଶ ପାସ୍ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ଯୋଜନାରେ ଉଚ୍ଚଶିକ୍ଷା ପାଇଁ ବିନାସୁଧରେ ଋଣ ଦିଆଯିବ । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଲେ ୭ ବର୍ଷ ଓ ତା’ଠାରୁ ଅଧିକ ଋଣ ନେଲେ ୧୦ ବର୍ଷ ମଧ୍ୟରେ ଶୁଝି ପାରିବେ। ଉଚ୍ଚଶିକ୍ଷାର ପ୍ରସାରରେ ଏହା ବେଶ୍ ସହାୟକ ହେବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ୍ସ’ରେ ଲେଖିଛନ୍ତି । ପୂର୍ବରୁ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ମାଗଣାରେ ୧୨୫ ୟୁନିଟ ବିଦ୍ୟୁତ୍ ଯୋଗାଣ ପାଇଁ ଘୋଷଣା କରିଥିଲେ ।