କନକ ବ୍ୟୁରୋ: ଶ୍ରଦ୍ଧାରୁ ଶ୍ରାଦ୍ଧ । ଆଜିଠୁ ଆରମ୍ଭ ହୋଇଛି ପିତୃପୁରୁଷଙ୍କୁ ପିଣ୍ଡଦାନ । ଭାଗବତ ଜନ୍ମ ପରଦିନ ଠାରୁ ଅପରପକ୍ଷ ଆରମ୍ଭ ହୋଇଥିବା ବେଳେ ଆଜିଠୁ ୧୫ଦିନ ପର୍ଯ୍ୟନ୍ତ ପିତୃପୁରୁଷଙ୍କ ପାଇଁ ତିଳ ତର୍ପଣ କରାଯିବାର ବିଧି ରହିଛି ।
ପିତୃପକ୍ଷରେ ଗହଳିଚହଳି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲାଗିଛି ଭିଡ଼ । ପରମ୍ପରା ଅନୁଯାୟୀ ଆଶ୍ୱୀନ ମାସର କୃଷ୍ଣ ପ୍ରତିପଦାରୁ ହିଁ ଆରମ୍ଭ ହୋଇଥାଏ ଅପରପକ୍ଷ । ଧର୍ମ ବିଶ୍ୱାସ ଅନୁଯାୟୀ ନିଜ ପୁତ୍ର ହାତରୁ ଶ୍ରଦ୍ଧାର ଅନ୍ନ ଗ୍ରହଣ କରିବା ପାଇଁ ଅପେକ୍ଷା କରିଥାନ୍ତି ପିତୃଲୋକେ । ତେଣୁ ୧୫ ଦିନ ବ୍ୟାପି ତିଳ ତର୍ପଣ କରାଯିବା ସହ ନିର୍ଦ୍ଦିଷ୍ଟ ତିଥିରେ ପିଣ୍ଡ ଦାନ କରାଯିବାର ବିଧି ରହିଛି ।
ଭୁବନେଶ୍ବର ବିନ୍ଦୁ ସାଗରରେ ମଧ୍ୟ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଭିଡ଼ ଦେଖିବାକୁ ମିଳିଛି। ସକାଳୁ ସ୍ନାନ କରି ପୁଷ୍କରିଣୀରେ ସୂର୍ଯ୍ୟଙ୍କୁ ସ୍ମରଣ କରି ରାଶି, କୁଶ ଓ ଚାଉଳ, ପାତ୍ରି ଆଦିକୁ ନେଇ ତର୍ପଣ କରାଯାଏ । ଏହି ତର୍ପଣର ପନ୍ଦରଦିନ ପର୍ଯ୍ୟନ୍ତ ଘର ରନ୍ଧା ଖାଇବା ସହ ଖିଅର ହେବା ନିଷେଧ ରହିଥାଏ। କେହି କେହି ନିଜ ପିତୃଗଣଙ୍କ ଉଦ୍ଦେଶ୍ୟରେ ତର୍ପଣ କରୁଥିବା ବେଳେ ଆଉ କେହି ନିଜ ନିଜ ଗୁରୁମାନଙ୍କ ପାଇଁ କରିଛନ୍ତି ତର୍ପଣ ଓ ପିଣ୍ଡଦାନ । ପିଣ୍ତଦାନ ଦ୍ୱାରା ପୁଣ୍ୟ ଲାଭ ସହ ବଂଶର ଉତ୍ତରପିଢ଼ିର ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି।