କନକ ବ୍ୟୁରୋ : ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ଏହି ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ଜାରି ରହିବ । ଛାତ୍ରଛାତ୍ରୀମାନେ ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ । ଏଥିପାଇଁ ପିଲାମାନଙ୍କୁ www.samsodisha.gov.in କୁ ଯିବାକୁ ପଡ଼ିବ । ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ବାହାରିବ । ଜୁଲାଇ ୮ରୁ ୧୪ ଯାଏଁ ଆଡମିସନ୍ ପ୍ରକ୍ରିୟା ଜାରି ରହିବ । ଜୁଲାଇ ୨୪ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ । ରାଜ୍ୟରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସମେତ ସେଲ୍‌ଫ ଫାଇନାନ୍ସିଂ କଲେଜ୍‌, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୨୪ରୁ ୱେବ୍‌ସାଇଟରେ କମନ୍‌ ଆପ୍ଲିକେସନ ଫର୍ମ (ସିଏଏଫ୍‌) ଉପଲବ୍ଧ ହେବ । ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ କେବଳ ଅନ୍‌ଲାଇନରେ ଆବେଦନ କରିପାରିବେ । ଅଫ୍‌ଲାଇନରେ କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ ।