କନକ ବ୍ୟୁରୋ : ବିହାରରେ ସରକାରୀ ଚାକିରିଟିଏ ପାଇଁ ଅହରହ ସଂଘର୍ଷ କରୁଥିବା ଛାତଛାତ୍ରୀଙ୍କ ପାଇଁ ବରଦାନ ସାଜିଛନ୍ତି ଖାନ୍ ସାର୍ । ସେ ଶିକ୍ଷକ ହିସାବରେ ଯେତେ ଚର୍ଚ୍ଚିତ ସମାଜସେବାରେ ମଧ୍ୟ ତାଙ୍କର ସେତିକି ଯୋଗଦାନ ରହିଛି । କିଛି ଦିନ ତଳେ ତାଙ୍କ କୋଚିଂ ସେଣ୍ଟରରେ ପାଠ ପଢ଼ୁଥିବା ଛାତ୍ରୀମାନେ ରାଖୀ ଅବସରରେ ତାଙ୍କ ହାତରେ ୧୫ ହଜାର ରାଖୀ ବାନ୍ଧିଥିଲେ । ଯାହା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଏବେ ଖାନ୍ ସାର୍ ଆଉ ଏକ ମହତ୍ କାମ କରିବାକୁ ଯାଉଛନ୍ତି । ସେ ବିହାରର ପ୍ରତ୍ୟେକ ଜିଲ୍ଲାରେ ଗରିବ ଲୋକଙ୍କ ପାଇଁ ଡାଇଲିସିସ୍ ଏବଂ ବ୍ଲଡ୍ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଖାନ୍ ସାର୍ ବର୍ତ୍ତମାନ ଦେବତା ହେବାକୁ ଯାଉଛନ୍ତି କହିଲେ କିଛି ଭୁଲ୍ ହେବନି । ତେବେ ଏହି ମହତ୍ କାମର ଶୁଭାରମ୍ଭ ଶ୍ରାବଣର ଶେଷ ସୋମବାର ଦିନ ସେ କରିଥିଲେ । ସୂଦୁର ଜର୍ମାନୀରୁ ଡାଇଲିସିସ୍ ମେସିନ୍ ଅର୍ଡର କରି ସେ ଏହି କାମର ଶୁଭାରମ୍ଭ କରିଛନ୍ତି । ଏଭଳି କରିବା ପଛରେ ଖାନ୍ ସାରଙ୍କ ଉଦ୍ଦେଶ୍ୟ ହେଉଛି ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ମାଗଣାରେ ଏବଂ କମ୍ ଖର୍ଚ୍ଚରେ ଡାଇଲିସିସ୍ ସୁବିଧାକୁ ଉପଲବ୍ଧ କରାଇବା । ଖାଲି ଏତିକି ନୁହେଁ ଖାନ୍ ସାର୍ ଏକ ବ୍ଲଡ୍ ବ୍ୟାଙ୍କର ପ୍ରତିଷ୍ଠା ମଧ୍ୟ କରିବାକୁ ଯାଉଛନ୍ତି , ଯାହାଦ୍ବାରା ରକ୍ତ ଅଭାବରୁ ଯେମିତି କାହାର ଜୀବନ ନ ଯିବ ।
/filters:format(webp)/kanak/media/media_files/2025/08/18/khan-sir-11-2025-08-18-10-43-25.jpg)
ଏନେଇ ଖାନ୍ ସାର୍ କୁହନ୍ତି ‘ଡାଇଲିସିସର ଖର୍ଚ୍ଚ ଗରିବ ପରିବାର ପାଇଁ ଅସହ୍ୟ ହୋଇଥାଏ , ଯେଉଁଥିରେ ପ୍ରତିମାସରେ ୫୦ ରୁ ୬୦ ହଜାର ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୁଏ । କିଡନି ଫେଲ୍ ହେଲେ ରୋଗୀଙ୍କୁ ପ୍ରତିଥର ୫ ଘଣ୍ଟାର ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼େ ଯେଉଁଥିରେ ରକ୍ତକୁ ଶରୀରରୁ ବାହାର କରି ଫିଲ୍ଟର କରାଯାଏ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଗରିବ ରୋଗୀଟିଏ ଏତେ ଖର୍ଚ୍ଚ କରିବାକୁ ଅସମର୍ଥ । ବେଳେବେଳେ ଚିକିତ୍ସା କରୁ କରୁ ପରିବାର ଜମିବାଡ଼ି ବିକି ସର୍ବସ୍ବାନ୍ତ ହୋଇଯା’ନ୍ତି ନହେଲେ ଆପଣାର ଲୋକଟିକୁ ହରାଇ ବସନ୍ତି । ବ୍ଲଡ୍ ବ୍ୟାଙ୍କ୍ ପ୍ରତିଷ୍ଠାର ଉଦ୍ଦେଶ୍ୟ ହେଉଛି ରକ୍ତ ଅଭାବକୁ ଦୂର କରିବା । ବିଶେଷ କରି ଗାଁରୁ ଆସୁଥିବା ରୋଗୀମାନଙ୍କୁ ସହରରେ ରକ୍ତ ଅଭାବର ସାମ୍ନା କରିବାକୁ ପଡ଼ିଥାଏ । ରକ୍ତ ଅଭାବରୁ ଅନେକ ରୋଗୀଙ୍କୁ ଆଖି ଆଗରେ ଛଟପଟ ହୋଇ ମରୁଥିବାର ଆମେ ଦେଖିଛୁ । ତେଣୁ ଏହି ଅଭାବକୁ ଦୂର କରିବା ପାଇଁ ଆମେ ଏକ ବିଶ୍ବସ୍ତରୀୟ ବ୍ଲଡ୍ ବ୍ୟାଙ୍କ୍ ପ୍ରତିଷ୍ଠା କରିବାକୁ ଯାଉଛୁ , ଯାହା ସମଗ୍ର ଏସିଆରେ ଏକ ଉଦାହରଣ ହେବ । ବ୍ଲଡ୍ ବ୍ୟାଙ୍କର ମେସିନ୍ ବିଦେଶରୁ ମଗାଯାଉଛି ଏବଂ ନବରାତ୍ରିର ପ୍ରଥମ ଦିନରେ ଏହାର ଶୁଭ ଉଦଘାଟନ ହେବ ।’
ଖାନ୍ ସାର୍ ଭାରତୀୟ ସଂସ୍କୃତିର ‘ବସୁଧୈବ କୁଟୁମ୍ବକମ୍’ ସିଦ୍ଧାନ୍ତ ଉଲ୍ଲେଖ କରି କହିଛନ୍ତି ଯେ ସମାଜ ପ୍ରତି ଏହା ତାଙ୍କର ଗୁରୁଦାୟିତ୍ବ । ଆରମ୍ଭରେ ୧୦ ଟି ଡାଇଲିସିସ୍ ମେସିନ୍ ମିଳିଛି ଏବଂ ଭବିଷ୍ୟତରେ ପ୍ରାୟ ୨୦୦ ଟି ମେସିନର ବ୍ୟବସ୍ଥା କରାଯିବ । ଭାରତରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ଅର୍ଥ ପୂରା ପରିବାରର ଜୀବନ ବଞ୍ଚାଇବା ସହ ସମାନ । ରୋଜଗାରିଆ ପୁଅର ମୃତ୍ୟୁ ହୋଇଗଲେ ଖାଲି ଜଣଙ୍କର ମୃତ୍ୟୁ ହୁଏ ତାହା ନୁହେଁ ବରଂ ଘରର ମୂଳଦୁଆ ଦୋହଲିଯାଏ । ଆମର ଗୋଟିଏ ସ୍ବପ୍ନ ଏହି ଡାଇଲିସିସ୍ ସେଣ୍ଟର ଏବଂ ବ୍ଲଡ୍ ବ୍ୟାଙ୍କଗୁଡ଼ିକୁ ଡାକ୍ତରଖାନାରେ ପରିଣତ କରିବା , ଯାହା ଦ୍ବାରା ଲୋକଙ୍କୁ ସୁଲଭ ମୂଲ୍ୟରେ ଡାକ୍ତରୀ ସେବା ମିଳିପାରିବ । ଚିକିତ୍ସା ଅଭାବରୁ ଯେମିତି କାହାର ମଧ୍ୟ ଜୀବନ ନଯିବ ।