କନକ ବ୍ୟୁରୋ : ଲାଇଟ୍ , କ୍ୟାମେରା , ଆକ୍ସନ୍ , ଗ୍ଲାମର୍ , ଶୋ’ବିଜ୍ ଆଦି ଶବ୍ଦ ସିନେମା ଜଗତରେ ଖାସ୍ କରି ବଲିଉଡରେ ଅଧିକ ଦେଖିବାକୁ ମିଳେ । ମନରେ ମେଞ୍ଚାଏ ସ୍ବପ୍ନ ଧରି ଅଭିନେତା ହେବା ପାଇଁ ମାୟାନଗରୀ ମୁମ୍ବାଇକୁ ଯେତେବେଳେ ଅନେକ ପ୍ରତିଭା ଆସନ୍ତି ସେମାନଙ୍କ ମଧ୍ୟରୁ କିଛି ଜଣ ହିଁ ଅଭିନେତାର ପରିଚୟ ପାଇ ଆଗକୁ ବଢ଼ନ୍ତି ଏବଂ ଅନ୍ୟ କିଛିଙ୍କ ସ୍ବପ୍ନ ଭାଙ୍ଗିଯାଏ । ତାଲିକାରେ ଏମିତି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଷ୍ଟାରର ପରିଚୟ ତ ପାଇଲେ କିନ୍ତୁ ଏବେବି କାମ ନ ପାଇ ଶୋ’ବିଜରୁ ଦୂରେଇ ରହୁଛନ୍ତି । କିନ୍ତୁ ଏଇଠି କଥା କିଛି ଭିନ୍ନ , ଆମେ କହୁଛୁ ଅଭିନେତା ଅଭିନୟ କିଙ୍ଗରଙ୍କଙ୍କ ବିଷୟରେ .. ଯାହାଙ୍କ ନାଁ ତ ଅଭିନୟ କିନ୍ତୁ ଆଜି ସେ ଅଭିନୟ ଜଗତରୁ କୋଷେ ଦୂରରେ । ଆଉ ତାଙ୍କର ଏଭଳି ଅବସ୍ଥା ହେବାର କାରଣ ହେଉଛି ଲିଭର୍ ରୋଗ । ଅଭିନୟ ସାଉଥ୍ ସୁପରଷ୍ଟାର୍ ଧନୁଷଙ୍କ ସଙ୍ଗେ ସିନେମାରେ ଡେବ୍ୟୁ କରିଥିଲେ କିନ୍ତୁ ଆଜି ସେ ନିଜର ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛନ୍ତି । ଅଭିନେତା ଲିଭର୍ ରୋଗ ସହ ମୁକାବିଲା କରୁଥିବା ବେଳେ ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ଭାରି ହଇରାଣ ହେଉଛନ୍ତି । 

Advertisment
abhinay-kinger
abhinay-kinger Photograph: (google)

୪୪ ବର୍ଷୀୟ ଅଭିନୟ ୨୦୦୨ ରେ ଧନୁଷଙ୍କ ସହ ‘ଥୁଲ୍ଲୁବଧୋ ଇଲମଇ’ ସିନେମାରୁ ନିଜର ସିନେ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହି ସିନେମା ପରେ ସେ ‘ଜେ ଜକ୍ସନ୍’ ନାମକ ଫିଲ୍ମରେ ଲିଡ୍ ଆକ୍ଟର ରୂପେ ନଜର ଆସିଥିଲେ । ତାଙ୍କର ଜୀବନ୍ତ ଅଭିନୟ ଦେଖି ଲାଗୁଥିଲା ଯେ ସେ ଲମ୍ବା ରେସର ଘୋଡ଼ା ସାବ୍ୟସ୍ତ ହେବେ କିନ୍ତୁ ଲିଭର ରୋଗ ସବୁକିଛି ସାରିଦେଲା । କେବଳ ଚିକିତ୍ସା ନୁହେଁ ପରିବାର ଚଳାଇବା ମଧ୍ୟ ତାଙ୍କ ପାଇଁ ଏବେ କଷ୍ଟକର ହୋଇପଡୁଛି । ଜଣେ ବ୍ଲଗର୍ ତାଙ୍କ ଇଣ୍ଟରଭ୍ୟୁ ନେଇଥିଲେ ଯେଉଁଥିରେ ସେ ନିଜର ଦୟନୀୟ ସ୍ଥିତି ବିଷୟରେ କହିଥିଲେ । ସେ ଏବେ ମେସର ଖାଦ୍ୟ ଖାଇବା ସହ ଯେମିତି ସେମିତି ଜୀବନ କାଟୁଛନ୍ତି । ତେବେ ଯେଉଁ ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ସେଥିରେ ଅଭିନେତା ଗୋଟିଏ ଛୋଟ ରୁମରେ ରହୁଥିବାର ନଜର ଆସୁଛନ୍ତି ।

ବାଲାନ ଆକାଶ ନାମକ ଜଣେ ଅଭିନେତା ତାଙ୍କୁ ଭେଟି କିଛି ଆର୍ଥିକ ସାହାଯ୍ୟ କରିଛନ୍ତି । ଅଭିନୟ ଜଣେ ମାଲୟାଲି ଅଭିନେତା । ସେ ଲୋକପ୍ରିୟ ଅଭିନେତା ସ୍ବର୍ଗୀୟ ଟିପି ରାଧାମଣୀଙ୍କ ପୁଅ । ମାଲାୟଲମ୍ ଇଣ୍ଡଷ୍ଟ୍ରିରେ ଟିପି ଅନେକ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିଥିଲେ । କିନ୍ତୁ ୨୦୧୯ ରେ କ୍ୟାନ୍ସର ଯୋଗୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ପିତାଙ୍କ ମୃତ୍ୟୁ ପରେ ଅଭିନୟଙ୍କ ସ୍ଥିତି ବିଗିଡ଼ିଗଲା ଯାହାପରେ ସେ ରୋଗ ଏବଂ ଆର୍ଥିକ ଅଭାବର ଶିକାର ହୋଇଗଲେ ।