କନକ ବ୍ୟୁରୋ : ଭୋଗରାଇ ରଣସିଂହପୁର ଗାଁର ଜଣେ ସାଧାରଣ ଗୃହିଣୀ ସବିତା ଜେନା। ସ୍ୱାମୀ ଜଣେ ଛୋଟ ଖେଳଣା ଦୋକାନୀ । ହେଲେ ସ୍ୱାମୀ ବିକ୍ରି କରୁଥିବା ଜିନିଷକୁ ଦେଖି ସେ ନିଜେ କେମିତି ତିଆରି କରିବେ ମନରେ ଥାଏ ଅନେକ ଇଚ୍ଛା। ଆଉ ଫୁରସତ ସମୟରେ ତାକୁ ତିଆରି କରିବା ପାଇଁ ୟୁଟ୍ୟୁବ୍ ସାହାଯ୍ୟ ନିଅନ୍ତି । ସମୁଦ୍ରରୁ ମିଳୁଥିବା ଶାମୁକାକୁ ଆଣି ସେହିଭଳି କଣ୍ଢେଇ ଖେଳଣା ତିଆରି କରିବା ପାଇଁ ପ୍ରୟାସ ଆରମ୍ଭ କରନ୍ତି । କିଛି ଦିନ ଚେଷ୍ଟା କରିବା ପରେ ବିଭିନ୍ନ ପ୍ରକାର ଖେଳନା, କଇଁଛ, ପକ୍ଷୀ, ଶଙ୍ଖ ଓ ଠାକୁରଙ୍କ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି ସବିତା ।
୩ ବର୍ଷ ହେଲା ସବିତା, ଶାଶୁ ଓ ସାନ ଜାଆଙ୍କ ସହଯୋଗରେ ଏହିସବୁ ସାମଗ୍ରୀ ତିଆରି କରିଆସୁଛନ୍ତି । ସ୍ୱାମୀଙ୍କୁ ସହଯୋଗ କରିବା ସହ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ତାଙ୍କ ହାତ ତିଆରି ଶାମୁକା କଣ୍ଢେଇ ସ୍ବାମୀଙ୍କ ଦୋକାନରେ ବିକ୍ରି ହେଉଛି । ସ୍ଥାନୀୟ ଅଂଚଳରେ ହେଉଥିବା ମେଳା ମହୋତ୍ସବରେ ବିକ୍ରି କରାଯାଉଛି । ଘର କାମ ସାରିବା ପରେ ବଳକା ସମୟରେ ମହିଳା ଜଣକ ଏହି ସାମଗ୍ରି ତିଆରି କରୁଛନ୍ତି । ଯାହାଦ୍ବାରା ସେ କିଛି ରୋଜଗାର କରିପାରୁଛନ୍ତି ।
କୁହାଯାଏ, ଇଛା ଥିଲେ ଉପାୟ ଆପେ ଆପେ ଆସେ । ସେହିଭଳି ଜଣେ ମହିଳା ହେଉଛନ୍ତି ସବିତା ଜେନା । କାରଣ ଏହ କାମ ପାଇଁ ସେ ଆନୁଷ୍ଠାନିକ ଭାବେ କାହାଠାରୁ ତାଲିମ ନେଇନାହାନ୍ତି । କିନ୍ତୁ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ସମସ୍ତଙ୍କ ମନ ଜିଣିପାରିଛନ୍ତି ।