କନକ ବ୍ୟୁରୋ : ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତି ଯାଏଁ ୧୦ ବର୍ଷ ଧରି ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି । ରାଲି ଶୋଭାଯାତ୍ରାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ଅଉ ଏବେ ପଦାରେ ପଡିଛି ମାଲକାନଗିରି ପୌରାଞ୍ଚଳରେ ସ୍ୱଚ୍ଛତାର ସତ । ଅନେକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି ପୌରପରିଷଦ । କିନ୍ତୁ ରାସ୍ତାକଡ଼ ଅଳିଆ ଗଦା ଉପରେ କାହାରି ନଜର ନାହିଁ । ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ୧୯ଟି ୱାର୍ଡ । ସାରା ସହରରେ ଶତାଧିକ ଅଳିଆ ଗଦା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ପୌର କର୍ମଚାରୀଙ୍କୁ ଅଳିଆ ସିନା ଦେଖାଯାଉନାହିଁ, କିନ୍ତୁ ଟିକସ ଆଦାୟ ଦିଗରେ ବେଶ ଆଗୁଆ ।
ମାଲାକନଗିରି ଜିଲ୍ଲାରେ ୧୯ଟି ୱାର୍ଡ ଲାଗି ୧୪ଟି ବ୍ୟାଟେରି ଚାଳିତ ଗାଡି ଅଳିଆ ସଂଗ୍ରହ କରୁଥିଲା । ରକ୍ଷଣାବେକ୍ଷଣ ଅଭାବରୁ ତାହା ଅଳିଆ ପାଲଟି ଯାଇଛି । ଏଣେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି ମହିଳା ସ୍ୱଚ୍ଛ ସାଥୀ । ମାଲକାନଗିରି ପୌରାଂଚଳର ସଫେଇ ଲାଗି ଘରୋଇ କମ୍ପାନୀ ଓ ସ୍ୱଚ୍ଛ କର୍ମୀଙ୍କ ଜରିଆରେ ପ୍ରତି ମାସ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।