କନକ ବ୍ୟୁରୋ: ଅନେକ ସମୟରେ ବହୁତ କିଛି ସୁବିଧା ଥାଇ ବି ଆମେ ଅଭିଯୋଗ କରୁ । ଭାଗ୍ୟକୁ ନିନ୍ଦୁ । ଅନ୍ୟକୁ ଦୋଷ ଦେଉ । କିନ୍ତୁ କିଛି ମଣିଷ ଦାରିଦ୍ର୍ୟରେ ଘାଣ୍ଟି ହୋଇ ବି କିଛି ନଥାଇ ବି ସମାଜରେ ନିଜର ଜାଗା ବନାନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଇଁ ପ୍ରେରଣା ପାଲଟନ୍ତି । ଏଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଆଇଏଏସ୍ ବି. ଅବଦୁଲ ନାସାର ।
ଜୀବନଟା ଫୁଲର ଶେଯ ନୁହେଁ, କଣ୍ଟାର ବାଟ । ସେଥିରେ ହିଁ ଚାଲିବାକୁ ପଡ଼ିବ , ପାଦରୁ ରକ୍ତ ଝରିଲେ ବି ସେ ଯନ୍ତ୍ରଣାକୁ ସହିବାକୁ ପଡ଼ିବ ଆଉ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ପଡ଼ିବ । ୟାକୁ ହିଁ କୁହନ୍ତି ଜୀବନ, ଯାହାକୁ ଅକ୍ଷରେ ଅକ୍ଷରେ ସତ କରିଛନ୍ତି ଆଇଏଏସ୍ ବି ଅବଦୁଲ ନାସାର, ଯାହାଙ୍କ ଜୀବନ ଯନ୍ତ୍ରଣା ଶୁଣିଲେ ଆପଣଙ୍କ ଆଖି ବି ଜକେଇ ଆସିବ ।
ଅବଦୁଲ ନାସାରଙ୍କ ଜନ୍ମ କେରଳ କନ୍ନୁର ଜିଲ୍ଲା ଥାଲାସେରୀରେ । ୫ ଭାଇ ଭଉଣୀ । ଭାରି ଗରିବ ପରିବେଶରେ ସେ ମାଟି ଛୁଇଁଥିଲେ । ଏତିକିରେ କଥା ସରୁନି । ତାଙ୍କୁ ଯେତେବେଳେ ମାତ୍ର ୫ ବର୍ଷ ବାପାଙ୍କ ମୃତ୍ୟୁ ହୋଇଗଲା । ଘର ଚଳାଇବାକୁ ପାଖରେ କାଣି କଉଡ଼ିଟିଏ ନଥାଏ । ପିଲାଙ୍କ ପାଟିରେ ଦାନା ଦିଟା ଦେବାକୁ ମା’ ପର ଘରେ କାମ କରିବା ଆରମ୍ଭ କଲେ । କିନ୍ତୁ ସେତିକିରେ ୫ ପିଲାଙ୍କୁ ପାଳିବା ଅସମ୍ଭବ ଥିଲା । ତେଣୁ ଛାତିରେ ପଥର ରଖି ପିଲାଙ୍କୁ ଥାଲାସେରୀର ଏକ ଅନାଥାଳୟରେ ଛାଡ଼ିଦେଲେ । ମା’ ମନକୁ କଷ୍ଟ ହେଉଥିଲେ ବି ପିଲାଙ୍କୁ ଦି ଓଳି ଦିମୁଠା ଖାଇବାକୁ ତ ମିଳିଯିବ ଏମିତି ଭାବି ଅନାଥାଶ୍ରମରେ ଛାଡ଼ିଦେଲେ ।
ସ୍କୁଲ ଯାଉଥିବା ପିଲାଙ୍କୁ ଦେଖି ବାରମ୍ବାର ଅନାଥ ଆଶ୍ରମରୁ ବାହାରି ପଳାଉଥିଲେ ଅବଦୁଲ ନାସାର । କିନ୍ତୁ ପେଟର ଭୋକ ପୁଣି ଅନାଥାଶ୍ରମର ବାଟ ମନେ ପକାଇ ଦେଉଥିଲା । ମାତ୍ର ୧୦ ବର୍ଷରେ ପଇସା ପାଇଁ ହୋଟେଲରେ ଟେବୁଲ ପୋଛିବା ଓ ରୋଷେଇ ଜିନିଷ କିଣିବା କାମ କଲେ । ଆଉ ତା ସହ ଅନାଥାଶ୍ରମ ପାଖ ସରକାରୀ ସ୍କୁଲକୁ ଯିବା ଆରମ୍ଭ କଲେ । ସାଙ୍ଗରେ ରହୁଥିବା ପିଲାଏ ଖେଳୁଥିବାବେଳେ ଅବଦୁଲ କିନ୍ତୁ ଗୋଟେ କୋଣରେ ବହି ଧରି ବସୁଥିଲେ । ଏମିତି ଚାଲିଗଲା ସ୍କୁଲ ସମୟ । ଦଶମ ପାସ୍ ପରେ ନିଜକୁ ପାଠପଢ଼ାରୁ ଦୂରେଇ ପାରିଲେନି । ସକାଳୁ ଘରେ ଘରେ ପେପର ପକାଇବା କାମ କଲେ । ହେଲ୍ପର ଓ ମୋବାଇଲ ମେକାନିକ୍ କାମ କରି ଦି ପଇସା ସଞ୍ଚି ସେଥିରେ ଯୁକ୍ତ ଦୁଇ ଓ ଗ୍ରାଜୁଏସନ୍ ଶେଷ କଲେ । ଗ୍ରାଜୁଏସନ୍ ଶେଷ ପରେ କେରଳ ସ୍ବାସ୍ଥ୍ୟ ବିଭାଗରେ ଅସ୍ଥାୟୀ ପୋଷ୍ଟିଂରେ କାମ କଲେ । ଏହି ସମୟରେ ତାଙ୍କ ମୁଣ୍ଡରେ ପ୍ରାଶାସନିକ ଚାକିରି କଥା ଢୁକିଲା । ୨୦୦୬ରେ କେରଳ ପ୍ରାଶାସନିକ ପରୀକ୍ଷାରେ ପାସ୍ କରି ବନିଲେ ଡେପୁଟି କଲେକ୍ଟର । କାର୍ଯ୍ୟରେ ଏକାନ୍ତ ନିଷ୍ଠା ଓ ଲୋକଙ୍କ ପ୍ରତି ସମାଜ ପ୍ରତି ଉତ୍ସର୍ଗୀକୃତ ସେବା ତାଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲା । ଫଳରେ ୨୦୧୫ରେ ତାଙ୍କୁ କେରଳର ସର୍ବଶ୍ରେଷ୍ଠ ଡେପୁଟି କଲେକ୍ଟର ଭାବେ ସମ୍ମାନୀତ କରାଯିବା ସହ ଆଇଏଏସ୍ ପଦକୁ ପଦୋନ୍ନତି ଦିଆଗଲା । ଏହାପରେ ସେ କେରଳର ଏକାଧିକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି ।
ଅନାଥାଶ୍ରମରୁ ଆଇଏଏସ୍ ହେବାର ଯାତ୍ରା ଆଦୌ ସହଜ ନଥିଲା । ଆଇଏଏସ୍ ନାସାର ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଗୋଟେ ବହି, ଯାହାର ପ୍ରତିଟି ପୃଷ୍ଠା ଯନ୍ତ୍ରଣା ଆଉ ଦୁଃଖର ସ୍ୟାହିରେ ଲେଖାହୋଇଛି କିନ୍ତୁ ସଫଳତାରେ ସରିଛି । ଏ ବହି କହୁଛି, ଜୀବନ କଷ୍ଟ ହୋଇପାରେ କିନ୍ତୁ ନୁହେଁ । ଡେରିରେ ହେଉ ପଛେ କିଛି ବନିକି ଦେଖାଅ, କାରଣ ଏ ସମାଜ ତୁମ ଅତୀତ ଦେଖିବନି ତୁମ ବର୍ତ୍ତମାନକୁ ଚାହିଁବ ।