କନକ ବ୍ୟୁରୋ : କୁହନ୍ତି ମଣିଷ ଯେତେ ସଫଳତାର ଶୀର୍ଷକୁ ବଢ଼ିଲେ ମଧ୍ୟ ମାଟିର ମୋହକୁ କେବେ ପାଶୋରି ପାରେନି । ଏହି ଶୀର୍ଷକଟି ରାଷ୍ଟ୍ରପତି ମାଡାମ୍ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଯୁକ୍ତିଯୁକ୍ତ । କାରଣ ରାଷ୍ଟ୍ରପତି ଯେତେବେଳେ ବି ଓଡ଼ିଶା ଆସନ୍ତି ନିଜ ମାତୃଭୂମିକୁ ଯିବାକୁ ଜମାରୁ ଭୁଲନ୍ତି ନାହିଁ । ଚଳିତଥର ମଧ୍ୟ ସେ ନିଜ ଗାଁକୁ ଯାଇ ଆତ୍ମୀୟଙ୍କ ସହ ସମୟ ବିତାଇଥିଲେ । ଆଜିର ସମୟରେ ମଣିଷ ଟିକେ ସଫଳତାର ସ୍ବାଦ ଚାଖିଲେ ଯେଉଁଠି ସର୍ବେସର୍ବା ଭାବେ ସେଠାରେ ମାଡାମ୍ ମୁର୍ମୁଙ୍କ ଠାରୁ ସମସ୍ତଙ୍କୁ କିଛି ନା କିଛି ଶିଖିବା ଦରକାର । ଜଣେ ଆଦିବାସୀ ଝିଅ ରାଷ୍ଟ୍ରପତି ପଦବୀରେ ବସିବା , ଲୋକଙ୍କ ସହିତ ଜଡ଼ିତ ହେବା ଏବଂ ଆଧ୍ୟାତ୍ମିକ ମାର୍ଗରେ ଚାଲିବା ବୋଧହୁଏ କ୍ବଚିତ ଲୋକ ଥିବେ ଯାହାଙ୍କ କାନ୍ଧରେ ଦାୟିତ୍ବର ଭାର ଥାଇ ବି ଏତେ ସରଳ ଜୀବନଯାପନ ବଞ୍ଚୁଥିବେ ।
ଆଗକୁ ପଢ଼ନ୍ତୁ : ଗୁମୁରି କାନ୍ଦୁଛି ଗଙ୍ଗା : ତା’ ଗର୍ଭକୁ ଯାଉଛି ବିଷ ଆଉ କେବେ ଚେତିବ ମଣିଷ ?
ବିଶ୍ବର ଶ୍ରେଷ୍ଠ ନାଟ୍ୟକାର ସେକ୍ସପିୟର କହିଥିଲେ – ଏ ପୃଥିବୀ ଏକ ରଙ୍ଗମଞ୍ଚ । ଆମେ ସବୁ ସେ ମଞ୍ଚରେ ଚରିତ୍ର ସାଜି ବସିଛୁ । ଅଭିନୟ ସରିଗଲେ ଯେ ଯାହା ବାଟରେ ବାହୁଡ଼ିଯିବୁ । ଏହି ବାକ୍ୟଟିର ଅର୍ଥ ବୋଧହୁଏ ମାଡାମ୍ ମୁର୍ମୁ ଅନେକ ପୂର୍ବରୁ ବୁଝିସାରିଥିଲେ । ଯେତେବେଳେ ତାଙ୍କ ଜୀବନରେ ମୃତ୍ୟୁ ଅଦିନିଆ କୁଣିଆ ହୋଇ ଆସିଲା ଏବଂ ହସଖୁସିର ସଂସାରକୁ ଭାଙ୍ଗି ତାଙ୍କୁ ଆଧ୍ୟାତ୍ମିକତାର ରାସ୍ତାରେ ଚାଲିବାକୁ ବାଧ୍ୟ କଲା । ବହୁ ସଂଘର୍ଷ କରି ଶ୍ୟାମଚରଣ ମୁର୍ମୁଙ୍କ ସହ ସେ ପ୍ରେମବିବାହ କରିଥିଲେ । ସ୍ବାମୀଙ୍କର ଭଲପାଇବା ତାଙ୍କ ଜୀବନକୁ ଧନ୍ୟ କରିଦେଇଥିଲା । ସମୟକ୍ରମେ ୨ ଝିଅ ଏବଂ ୨ ପୁଅଙ୍କ ସୁଖ ପାଇ ସେ ଖୁସିରେ ଥିଲେ । ହେଲେ ନିୟତିର ବିଧି ଦେଖନ୍ତୁ ମାତ୍ର ୨୫ ବର୍ଷ ବୟସରେ ବଡ଼ପୁଅ ଲକ୍ଷ୍ମଣଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା । ୨୦୦୯ ରେ ଦୁନିଆ ଛାଡ଼ି ସେ ଚାଲିଗଲେ । ଲକ୍ଷ୍ମଣ ବ୍ୟାଙ୍କରେ ଚାକିରି ପାଇଯାଇଥିଲେ କିନ୍ତୁ ଦିନକ ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ୨୫ ବର୍ଷର ଭେଣ୍ଡିଆ ପୁଅକୁ ହରାଇ ମା’ ଯେମିତି ଡିପ୍ରେସନକୁ ଚାଲିଯାଇଥିଲେ । ଦୀର୍ଘ ୬ ମାସ ପରେ ସେ ବ୍ରହ୍ମାକୁମାରୀ ସଂସ୍ଥା ସହ ଜଡ଼ିତ ହୋଇ ଜୀବନର ଗତିପଥକୁ ଜାଣିପାରିଥିଲେ । ବୈରାଗ୍ୟର ଚାଦର ଘୋଡ଼ାଇ ସେ ଆଉ ଏକ ନୂଆ ମଣିଷ ରୂପରେ ଜିଇଁବାକୁ ଲାଗିଲେ ।
କିନ୍ତୁ କୁହନ୍ତି ନା ଦୁଃଖ ଯେତେବେଳେ ଆସେ ବନ୍ଧୁବାନ୍ଧବଙ୍କୁ ନେଇ ଆସେ । ୨୦୧୩ ସାନପୁଅ ବିରଞ୍ଚିଙ୍କର ମୃତ୍ୟୁ ଏକ ସଡ଼କ ଦୁର୍ଘଟଣାରେ ହୋଇଗଲା । ୨୮ ବର୍ଷର ସାନପୁଅ ସିପୁନ୍ ବିବାହିତ ଥିଲେ , ତାଙ୍କର ଛୋଟ ଛୁଆଟି ମଧ୍ୟ ଚାଲିଗଲା । ଆଉ କାହା ପାଇଁ ବୋହୂ ଘରେ ରହିଥାନ୍ତେ ତେଣୁ ସେ ବି ବାପଘରକୁ ଚାଲିଗଲେ । ପୁଅକୁ ହରାଇ ମା’ମନରେ କଷ୍ଟ ତ ଥିଲା କିନ୍ତୁ ଆଧ୍ୟାତ୍ମିକତାର ମାର୍ଗ ତାଙ୍କ ମନକୁ ସେତେବେଳକୁ ଦୃଢ଼ କରିସାରିଥିଲା । ସେ ଜୀବନ ଏବଂ ମୃତ୍ୟୁର ଗୁଢ଼ ରହସ୍ୟକୁ ଜାଣିସାରିଥିଲେ । କିନ୍ତୁ ବୋଧହୁଏ ଏତିକି କଷ୍ଟରେ ସନ୍ତୁଷ୍ଟ ହୋଇନଥିଲା ଦଇବ । ଦୁଇମାସ ପରେ ଭାଇ ଭଗତ ଟୁଡୁ ଏବଂ ମା’ ଙ୍କୁ ହରାଇଥିଲେ ଦ୍ରୌପଦୀ । ଆଉ ସବୁଠୁ ବଡ଼ ଝଟକା ଲାଗିଲା ୨୦୧୪ ରେ । ଯେତେବେଳେ ହୃଦଘାତରେ ଆରପାରିକୁ ଚାଲିଗଲେ ସ୍ବାମୀ ଶ୍ୟାମଚରଣ । ଜୀବନର ଏଭଳି ଏକ ଅଦ୍ଭୁତ,ନିଃସଙ୍ଗ ଛକରେ ଛିଡ଼ା ହୋଇ ନିଜକୁ ସମ୍ଭାଳି ଧରିବା କେତେ ଯେ ପୀଡ଼ାଦାୟକ ହୋଇଥିବ ଭାବି ହେଉନି । ବର୍ତ୍ତମାନ ତାଙ୍କ ପରିବାର କହିଲେ ସାନଝିଅ ଇତିଶ୍ରୀ ମୁର୍ମୁ ,ଜ୍ବାଇଁ ଏବଂ ନାତୁଣୀ । ଅନ୍ୟପକ୍ଷରେ କହିଲେ ଯେଉଁ ଆସନରେ ସେ ଆସୀନା ସମଗ୍ର ଭାରତବର୍ଷ ହେଉଛି ତାଙ୍କ ପରିବାର । ସେ କୋଟି କୋଟି ସନ୍ତାନର ମା’ । ଏ ଦେଶ ତାଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/07/madam-murmu-2026-02-07-17-08-08.jpg)