କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବାଣପୁର ମୁଦୁଲିଢ଼ିହ ଗାଁର ଶୁଭମ ଶବର । ପ୍ରଥମେ ଶୁଭମ ନିଜ ଗ୍ରାମର ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ଯୁକ୍ତ ଦୁଇ ପଢ଼ିବା ପାଇଁ ଭୁବନେଶ୍ବରକୁ ଆସିଥିଲେ । ଭୁବନେଶ୍ବରର ବିଜେବି କଲେଜରେ ଯୁକ୍ତଦୁଇ ପାଠ ପଢ଼ିଥିଲେ । ଯୁକ୍ତ ଦୁଇରେ ଭଲ ନମ୍ବର ରଖି ପାସ୍ କରିବା ପରେ ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ ବାସୁଦେବ ମହାରଣା ତାଙ୍କୁ ନିଟ୍ ୟୁଜି ପରୀକ୍ଷା ଦେବା ପାଇଁ କହିଥିଲେ । କିନ୍ତୁ ନିଟ୍ ପରୀକ୍ଷା କ’ଣ ସେ ଜାଣିନଥିବା ଯୋଗୁଁ ଦ୍ବନ୍ଦ୍ବରେ ରହିଥିଲେ । ଏନେଇ ଶିକ୍ଷାନୁଷ୍ଠାନର ଶିକ୍ଷକ ବାସୁଦେବ ମହାରଣା ଶୁଭମଙ୍କୁ ନିଟ୍‌ ୟୁଜି ପରୀକ୍ଷା ସମ୍ପର୍କରେ ଜଣାଇବା ପରେ ନିଟ୍ ପରୀକ୍ଷା ଦେଇଥିଲେ ଶୁଭମ । ପରୀକ୍ଷା ଦେବା ପରେ ନିଜ ଘରକୁ ଫେରି କିଛି ଦିନ ରହିବା ପରେ ଘରର ପରିସ୍ଥିତି ଓ ଆଗାମୀ ଦିନରେ ପାଠପଢ଼ାକୁ ନେଇ ସେ ଦାଦନ ଖଟିବା ନିମନ୍ତେ ବେଙ୍ଗାଲୁରୁ ଚାଲି ଯାଇଥିଲେ । ସେଠାରେ ସେ ଏକ ଘରୋଇ କମ୍ପାନୀରେ କନଷ୍ଟ୍ରକ୍ସନ୍‌ କାମ କରୁଥିଲେ । ଯାହା ଫଳରେ ସେ ମାସିକ ୧୫ ହଜାର ଟଙ୍କା ରୋଜଗାର କରିପାରୁଥିଲେ । ସେଠାରେ ରହିବା ଓ ଖାଇବା ବାବଦକୁ ୫ ହଜାର ଚାଲିଯାଉଥିବା ବେଳେ ନିଜ ପାଠପଢ଼ା ପାଇଁ କିଛି ଟଙ୍କା ନିଜ ପାଖରେ ରଖି ବଳକା ଟଙ୍କା ନିଜ ଘରକୁ ପଠାଉଥିଲେ । ଦାଦନ ଶ୍ରମିକ ଭାବେ କାମ କରିବା ସମୟରେ ହଠାତ୍‌ ସମ୍ପୃକ୍ତ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ ତାଙ୍କୁ ଫୋନ୍ କରି ଜଣାଇଥିଲେ ସେ ନିଟ୍ ପରୀକ୍ଷାରେ ଭଲ ରାଙ୍କ୍‌ ରଖିବା ସହ ଏମକେସିଜି ମେଡିକାଲରେ ଡ଼ାକ୍ତରୀ ପାଠ ପଢ଼ିବା ନିମନ୍ତେ ଯୋଗ୍ୟ ହୋଇଛନ୍ତି । ଏହା ଜାଣିବା ପରେ ସେ ନିଜ ପରିବାର ଲୋକଙ୍କୁ କହିବା ସହିତ ବ୍ରହ୍ମପୁରକୁ ଆସିଥିଲେ । ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଡ଼ାକ୍ତରୀ ପାଠ ପଢ଼ିବା ନିମନ୍ତେ ନାମ ଲେଖାଇଛନ୍ତି ଶୁଭମ । ବହୁ ବାଧାବିଘ୍ନରେ ମେଡିକାଲ ପାଠପଢ଼ିବା ନିମନ୍ତେ ନାମ ଲେଖାଇଥିବା ବେଳେ ଭବିଷ୍ୟତରେ ଡ଼ାକ୍ତର ହୋଇ ଗାଁରେ ରହିଥିବା ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବି ବୋଲି କହିଛନ୍ତି ଶୁଭମ ।

Advertisment

ରାୟଗଡ଼ା ଜିଲ୍ଲା ରାୟଗଡ଼ ବ୍ଳକ ଅଙ୍ଗୁର ଗ୍ରାମର ଏଙ୍କେଟି ପେଦେଣ୍ଟି ମଧ୍ୟ ଏମକେସିଜି ମେଡ଼ିକାଲ କଲେଜରେ ଡ଼ାକ୍ତରୀ ପାଠ ପଢ଼ିବା ନିମନ୍ତେ ଯୋଗ୍ୟ ହୋଇଛନ୍ତି । ଏଙ୍କେଟି ନିଜର ଗାଁ ଅଞ୍ଚଳରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ଯୁକ୍ତ ଦୁଇ ପଢ଼ିବା ନିମନ୍ତେ ଭୁବନେଶ୍ବରକୁ ଯାଇଥିଲେ । ଭୁବନେଶ୍ବରର ବିଜେବି କଲେଜରେ ଯୁକ୍ତ ଦୁଇ ପାଠ ପଢ଼ିଥିଲେ । ଏହି ସମୟରେ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନର ଶିକ୍ଷକ ବାସୁଦେବ ମହାରଣା ତାଙ୍କୁ ନିଟ୍‌ ୟୁଜି ପରୀକ୍ଷା ଦେବା ନିମନ୍ତେ କହିଥିଲେ । ଶୁଭମଙ୍କ ଭଳି ଏଙ୍କେଟି ମଧ୍ୟ ନିଟ୍ ସମ୍ପର୍କରେ ଜାଣିନଥିବା ଯୋଗୁ ବାସୁଦେବ ଏ ସମ୍ପର୍କରେ ଜଣାଇଥିଲେ । ପରେ ସେ ନିଟ୍‌ ଦେଇ ଭଲ ରାଙ୍କ ରଖି ଏମକେସିଜି ମେଡ଼ିକାଲ କଲେଜରେ ଡ଼ାକ୍ତରୀ ପାଠ ପଢ଼ିବା ନିମନ୍ତେ ସିଟ୍‌ ପାଇଛନ୍ତି । ଏଙ୍କେଟି ଏମକେସିଜି ମେଡ଼ିକାଲ କଲେଜରେ ନାମ ମଧ୍ୟ ଲେଖାଇ ସାରିଛନ୍ତି । ତେବେ ଏଙ୍କେଟି ସପ୍ତମ ଶ୍ରେଣୀ ପାଠ ପଢ଼ୁଥିବା ସମୟରେ ତାଙ୍କର ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁକ୍ତ ଦୁଇ ପାଠ ପଢ଼ୁଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ବାପା ଓ ମା’ଙ୍କୁ ହରାଇବା ପରେ ନିଜ ବଡ଼ ବାପା ଓ ବଡ଼ ମା’ଙ୍କ ପାଖରେ ରହି ପାଠ ପଢ଼ୁଥିଲେ । ଏନେଇ ସେ କୁହନ୍ତି ‘‘ନାନା ସମସ୍ୟା ମଧ୍ୟରେ ପାଠ ପଢ଼ିଛି , ଡ଼ାକ୍ତରୀ ପାଠ କ’ଣ ଜାଣିନଥିବା ବେଳେ ନିଟ୍‌ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇ ଡ଼ାକ୍ତରୀ ପାଇଛି । ତେଣୁ ଭଲ ପାଠ ପଢ଼ିବି ଓ ଭଲ ଡ଼ାକ୍ତର ହୋଇ ଏମକେସିଜି ମେଡ଼ିକାଲରୁ ବାହାରି ନିଜ ଗ୍ରାମାଞ୍ଚଳରେ ଲୋକଙ୍କ ଚିକିତ୍ସା ସେବା କରିବି ।’’