କନକ ବ୍ୟୁରୋ : ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ ଯାଦବ ଅନେକ ବର୍ଷ ଧରି ଏକ ପୁରୁଣା ଚେକ୍ ବାଉନ୍ସ ମାମଲାରେ ଫସି ରହିଛନ୍ତି । ଏହି ମାମଲାରେ ତାଙ୍କ ଉପରେ ୯ କୋଟି ଟଙ୍କାର ଋଣ ଅଛି । ତେବେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଫେବୃୟାରି ୧୬ ତାରିଖ ଅପରାହ୍ନ ୩ଟା ସୁଦ୍ଧା ସମୟ ଦେଇଥିଲେ । କୋର୍ଟ କହିଥିଲେ ଯେ ଯଦି ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରାଯାଏ ତେବେ ଅଭିନେତାଙ୍କୁ ମୁକ୍ତ କରାଯିବ । ଯଦି ନୁହେଁ ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରି ୧୭ ତାରିଖରେ ହେବ । ଅଭିନେତା ଫେବୃଆରି ୧୯ ତାରିଖରେ ତାଙ୍କ ଭଣଜାଙ୍କ ବିବାହରେ ଯୋଗ ଦେବା ପାଇଁ ଜାମିନ ଆବେଦନ କରିଥିଲେ । ତେବେ ଏହି ମାମଲା ଉପରେ ତାଙ୍କୁ ଏବେ ବେଲ୍ ମିଳିଯାଇଛି । ୧୮ ମାର୍ଚ୍ଚ ଯାଏଁ ଅଦାଲତ ରାଜପାଲଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟର ଗତ ଶୁଣାଣି ସମୟରେ ରାଜପାଲଙ୍କୁ ଭର୍ତ୍ସନା କରାଯାଇଥିଲା । କୋର୍ଟ କହିଥିଲେ ଯେ ଅଭିନେତାଙ୍କୁ ଏତେ ସମୟ ଦେବା ସତ୍ତ୍ୱେ ସେ ଋଣ ପରିଶୋଧ କାହିଁକି କରି ନଥିଲେ ? ଓକିଲ ଦ୍ୱାରା ଦିଆଯାଇଥିବା ସମସ୍ତ ଯୁକ୍ତିକୁ କୋର୍ଟ ଭିତ୍ତିହୀନ ବୋଲି କହିଥଲେ। ଅନ୍ୟପକ୍ଷେ ଅଭିନେତା ନିଜ ଦଣ୍ଡ ବାତିଲ ପାଇଁ ଦାବି କରିଥିଲେ । ଏହି ଦାବିର ଜବାବରେ କୋର୍ଟ କହିଥିଲେ ଯେ ଯେତେବେଳେ ସେ ଋଣ ନେଇଥିବା କଥା ସ୍ୱୀକାର କରିସାରିଛନ୍ତି ତେବେ କିପରି କ୍ଷମା ହୋଇପାରିବ । ତାଙ୍କୁ ଟଙ୍କା ପରିଶୋଧ କରିବା ପାଇଁ ୨୫ ରୁ ୩୦ ଥର ସୁଯୋଗ ଦିଆଯାଇଥିଲା କିନ୍ତୁ ଏହା ସତ୍ତ୍ୱେ ସେ ଦେଇପାରିଲେ ନାହିଁ । ଏବେ କାହିଁକି ଦଣ୍ଡ ଉପରେ ସ୍ଥଗିତାଦେଶ ଦାବି କରୁଛନ୍ତି ? ରାଜପାଲଙ୍କୁ ଭର୍ତ୍ସନା କରି ଅଦାଲତ କହିଥିଲେ ଯେ ସେ କୋର୍ଟର ଆଦେଶ ଯୋଗୁଁ ନୁହେଁ ବରଂ ତାଙ୍କ ନିଜ କାମ ପାଇଁ ଜେଲରେ ଅଛନ୍ତି । ଅଭିନେତାଙ୍କ ଓକିଲ କହିଛନ୍ତି ଯେ ଋଣ ରାଶିର ୩ କୋଟି ଟଙ୍କାରୁ ଅଧିକ ଦେଇ ସାରିଛନ୍ତି । ଆବେଦନକାରୀଙ୍କୁ ୨.୧୦ କୋଟି ଟଙ୍କା ଜମା କରିବାକୁ ପଡ଼ିବ ।
ଆଗକୁ ପଢ଼ନ୍ତୁ : କାମ ମିଳୁନଥିଲା,ସାଙ୍ଗଙ୍କ ଘରେ ଖାଉଥିଲେ : ଆଜି ତିହାର ଜେଲରେ ରାଜପାଲ୍ , କୁଆଡ଼େ ଗଲେ ପ୍ରିୟ ସାଙ୍ଗ ନୱାଜୁଦ୍ଦିନ୍?
ତେବେ ୨୦୧୨ ରେ ନିର୍ମିତ "ଅତା ପତା ଲାପତା" ଚଳଚ୍ଚିତ୍ରଟି ରାଜପାଲଙ୍କ ନିର୍ଦ୍ଦେଶନାରେ ପ୍ରଥମ ଚଳଚ୍ଚିତ୍ର ଥିଲା । ଏହାକୁ ନିର୍ମାଣ କରିବା ପାଇଁ ରାଜପାଲ ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଠାରୁ ୫ କୋଟି ଟଙ୍କା ଋଣ ନେଇଥିଲେ । କିନ୍ତୁ ସିନେମାଟି ବିଫଳ ହୋଇଥିଲା ଯାହା ଫଳରେ ରାଜପାଲଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଟଙ୍କା ଫେରସ୍ତ ଦାବି କରିଥିଲା ଯାହାକୁ ରାଜପାଲ ଦେବାକୁ ଅସମର୍ଥ ହୋଇଥିଲେ । ତାପରେ ମାମଲା କୋର୍ଟରେ ପହଞ୍ଚିଲା । ୨୦୧୮ ମସିହାରେ ମୁରଲୀ ପ୍ରୋଜେକ୍ଟସ୍ ଆଇନର ଆଶ୍ରୟ ନେଇ ରାଜପାଲ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ସୁଧ ସହିତ ଏହି ୫ କୋଟି ଟଙ୍କା ମିଶାଇ ୯ କୋଟି ଟଙ୍କା ହୋଇଯାଇଥିଲା । ଏହି ମାମଲାରେ ଅଭିନେତା ପୂର୍ବରୁ ଦୁଇଥର ଜେଲ୍ ଯାଇସାରିଛନ୍ତି । ଅନେକ ଥର ଅବଧି ବୃଦ୍ଧି ପରେ ଯେତେବେଳେ ସେ ଟଙ୍କା ଫେରସ୍ତ କରିପାରିଲେ ନାହିଁ ତାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଇଥିଲା ।
ତେବେ ରାଜପାଲ ଯାଦବଙ୍କୁ ସେଲିବ୍ରିଟିଙ୍କଠାରୁ ସାହାଯ୍ୟ ମିଳିଛି । ଅଭିନେତାଙ୍କ ଦୁଃଖ ସମୟରେ ପୂରା ବଲିଉଡ୍ ଏକତ୍ରିତ ହୋଇଛି । ସଲମାନ ଖାନ, ଅଜୟ ଦେବଗନ, ବରୁଣ ଧୱନ, ଡେଭିଡ୍ ଧୱନ, ସୋନୁ ସୁଦ, ତେଜ ପ୍ରତାପ ଯାଦବ, ରାଓ ଇନ୍ଦରଜିତ ସିଂହ, ଗୁରୁ ରନ୍ଧାୱା, ଗୁରମୀତ ଚୌଧୁରୀ, କେଆରକେ ଏବଂ ମିକା ସିଂହ ସାହାଯ୍ୟର ହାତ ବଢ଼ାଇଛନ୍ତି । ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ ରାଜପାଲଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବାକୁ ଲୋକଙ୍କୁ ନିବେଦନ କରିଛି । ତାଙ୍କ ପତ୍ନୀ ସେଲିବ୍ରିଟିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/02/17/rajpal-2026-02-17-07-28-15.jpg)