କନକ ବ୍ୟୁରୋ: ଅନୁମତି ନାହିଁ । ପ୍ରମାଣପତ୍ର ନାହିଁ । ନିୟମର ତଣ୍ଟି ମୋଡ଼ି ଦେଉଛନ୍ତି । ସାରା ରାଜ୍ୟରେ ଏମିତି ଚାଲୁଛି ବେଆଇନ୍ କ୍ରସର ଓ କ୍ବାରି । ମାର୍ଚ୍ଚ ମାସରୁ ଅନେକଙ୍କ ଲାଇସେନ୍ସ ସରିଗଲାଣି । ତଥାପି ଏସବୁକୁ ବନ୍ଦ କରାଯାଉନି । ଆଖି ବୁଜି ଦେଇଛନ୍ତି ପ୍ରଦୂଷଣ ବିଭାଗ ଓ ପ୍ରଶାସନ । ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ଏବେ ରହିଛି ୩୭୨ଟି ଲାଇସେନ୍ସପ୍ରାପ୍ତ ପଥର କ୍ରସର । ବିନା ଲାଇସେନ୍ସରେ ଏ ସଂଖ୍ୟା ହଜାରେ ଉପରେ । ଉପଜିଲ୍ଲାପାଳ ଏହା ଉପରେ ନଜର ରଖିବା କଥା । ହେଲେ କଳାହାଣ୍ଡି ଉପ ଜିଲ୍ଲାପାଳ କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଇ ବନ୍ଧା ହେବା ପରେ ଖୋଲୁଛି କ୍ବାରି କେଳେଙ୍କାରୀର ଗୁମର ।
ପ୍ରଶ୍ନ ଉଠୁଛି, ୨ ମାସ ହେଲା କେମିତି ଚାଲୁଛି ବେଆଇନ୍ କ୍ବାରି ? ଆଇନ୍ ଆଖିରେ କିଏ ବାନ୍ଧିଛି ଅନ୍ଧପୁଟୁଳି ? ଧର୍ମଶାଳାରେ କ୍ରସର ମାମଲାରେ ମୁଣ୍ଡ ଗଡ଼ାଇ ଦେଲେ, ତଦନ୍ତ ଶୂନ । ଧର୍ମଗଡ଼ରେ କ୍ରସର ମାଲିକଙ୍କୁ ଲାଞ୍ଚ ମାଗି ଉପଜିଲ୍ଲାପାଳ ବନ୍ଧା ହେଲେ, ଆଗକୁ କାହା ପାଳି ? ଗୋଟିଏ କଥା ତ ସ୍ପଷ୍ଟ, ରାଜ୍ୟରେ ବେଆଇନ କ୍ରସର, କ୍ବାରି ଖୁନ୍ଦି ହୋଇ ରହିଛି । ରାଜସ୍ବ ଓ ଖଣି ବିଭାଗ କ୍ରସର ଓ କ୍ବାରି ପରିଚାଳନା ନେଇ କାଦୁଅଫିଙ୍ଗା ଚଳାଇଛନ୍ତି । ନ୍ଦରଗଡ଼ରେ ଡିନାମାଇଟ ଧରପଗଡ଼ ପରେ ରାଜ୍ୟ ସାରା ବିସ୍ଫୋରକ ଖୋଜା ଚାଲିଛି । କୁହାଯାଉଛି, ଏହି ଆଳରେ ବେଆଇନ୍ କ୍ରସର, କ୍ବାରି ମାଲିକଙ୍କୁ ଅଧିକାରୀମାନେ ଲାଞ୍ଚ ଚାପ ପକାଉଛନ୍ତି ।