କନକ ବ୍ୟୁରୋ : ବର୍ତ୍ତମାନ ଦେଶର କ୍ରିକେଟ ପ୍ରେମୀଙ୍କ ଉପରେ IPL-୨୦୨୫ର ଯାଦୁ ରାଜ୍ କରୁଛି । ୨୨ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଆଇପିଏଲ ମ୍ୟାଚ୍ ୨୫ ମଇ ପର୍ଯ୍ୟନ୍ତ ଚାଲିବ । କ୍ରିକେଟ ଖେଳାଳିମାନଙ୍କଠୁ ନେଇ କ୍ରିକେଟ ପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତେ IPLରେ ହଜି ଯାଇଛନ୍ତି । ଏହାରି ଭିତରେ ଜାଣନ୍ତୁ ଜଣେ ଏପରି ଖେଳାଳୀଙ୍କ କାହାଣୀ ଯିଏ କି ଦିନେ ନିଜେ ଜଣେ ବ୍ରିଲିଏଣ୍ଟ କ୍ରିକେଟର ଥିଲେ । ସେ ବି କ୍ରିକେଟ୍ ପଡ଼ିଆରେ ବହୁତ ଚୌକା ଏବଂ ଛକା ମାରୁଥିଲେ । କିନ୍ତୁ ଏକ ଦୁର୍ଘଟଣା ତାଙ୍କ ଜୀବନର ମୋଡ ବଦଳାଇ ଦେଲା । ଭାଙ୍ଗି ପଡ଼ିବା ଏବଂ ହାର ମାନିବା ପରିବର୍ତ୍ତେ, ସେ ନିଜର ସାହସ ବଜାୟ ରଖିଲେ ଏବଂ କ୍ରିକେଟ୍ ଛାଡି ଭାରତୀୟ ପୋଲିସ ସେବାରେ ଅଧିକାରୀ ହେଲେ । ନାଁ ହେଉଛି କାର୍ତ୍ତିକ ମଧିରା ।
୨୦୨୦ ବ୍ୟାଚ୍ ମହାରାଷ୍ଟ୍ର କ୍ୟାଡ୍ରର ପୋଲିସ ଅଧିକାରୀ କାର୍ତ୍ତିକ ମଧିରା । କାର୍ତ୍ତିକଙ୍କ କାହାଣୀ ସେହି ଯୁବପିଢିଙ୍କ ପାଇଁ ଏକ ଉଦାହରଣ ଯେଉଁମାନେ ଜୀବନରେ ଆସୁଥିବା କଷ୍ଟ ଆଗରେ ହାର ମାନି ଯାଉଛନ୍ତି । ବିଫଳତାର ସମ୍ମୁଖୀନ ହୋଇ ନିଜ ଲକ୍ଷ୍ୟରୁ ଓହରି ଯାଉଛନ୍ତି । ଆଗକୁ ବଢ଼ିବା ପାଇଁ ପୁଣି କଠିନ ପରିଶ୍ରମ କରି ପାରୁନାହାଁନ୍ତି ।
ହାଇଦ୍ରାବାଦ୍ର ବାସିନ୍ଦା କାର୍ତ୍ତିକ ଅଣ୍ଡର-୧୩ରୁ ନେଇ ୟୁନିଭରର୍ସିଟି ଲେବୁଲ ପର୍ଯ୍ୟନ୍ତ କ୍ରିକେଟରେ ସାନଦାର ପ୍ରଦର୍ଶନ କରିଥିଲେ । ଜେଏନ୍ଟିୟୁରୁ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ପଢା ଶେଷ କରିବା ପରେ ତାଙ୍କୁ କ୍ରିକେଟ୍ ଛାଡିବାକୁ ପଡିଥିଲା । ସେ ସମୟରେ କିଛି ଏମିତି ଦୁର୍ଘଟଣା ଏବଂ ତାଙ୍କର ବ୍ୟକ୍ତିଗତ ଅସୁବିଧା ହିଁ ତାଙ୍କୁ ବାଧ୍ୟ କରିଥିଲା କ୍ରିକେଟରୁ ବିଦାୟ ନେବା ପାଇଁ । ପିଲାବେଳୁ କ୍ରିକେଟର ହେବାକୁ ସ୍ୱପ୍ନ ଦେଖୁଥିବା କାର୍ତ୍ତିକଙ୍କୁ ପରିସ୍ଥିତି ବାଧ୍ୟ କରିଥିଲା ସ୍ୱପ୍ନର ଗତିପଥ ବଦଳେଇବା ପାଇଁ । ଏହା ପରେ ସେ ୟୁପିଏସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ।
ସେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ତିନିଥର ଅସଫଳ ହୋଇଥିଲେ । ହେଲେ ନିରାଶ ନ ହୋଇ ୟୁପିଏସସି ସିଭିଲ ସେବା ପରୀକ୍ଷା ୨୦୧୯ରେ ୪ର୍ଥ ପ୍ରୟାସରେ ୧୦୩ ରାଙ୍କ୍ ହାସଲ କରି ସେ IPS ଅଧିକାରୀ ହେଲେ । କାର୍ତ୍ତିକଙ୍କ କହିବା ଅନୁସାରେ ତାଙ୍କ ସଫଳତାର ରହସ୍ୟ ହେଉଛି ତାଙ୍କର ଲେଖିବାର କ୍ଷମତା, ସ୍ମାର୍ଟ ପ୍ଲାନିଂ ଏବଂ ନିରନ୍ତର ଆତ୍ମ-ମୂଲ୍ୟାୟନ । ସେ ପ୍ରତ୍ୟେକ ବିଷୟକୁ ଗଭୀର ଭାବରେ ବୁଝିଥିଲେ ଏବଂ ସେହି ହିସାବରେ ରଣନୀତି ସହିତ ପ୍ରସ୍ତୁତ କରୁଥିଲେ । ସେ କହିଛନ୍ତି, ମୁଁ ତିନିଥର ବିଫଳ ହେଲି କିନ୍ତୁ କେବେ ସାହସ ହାରି ନଥିଲି । ପ୍ରତ୍ୟେକ ଥର ମୁଁ ମୋର ଭୁଲରୁ ଶିଖିଛି, ସେଗୁଡ଼ିକୁ ସୁଧାରୁଛି ଏବଂ ଆଗକୁ ବଢ଼ିଛି । ଆଉ ତାହାର ଫଳାଫଳ ଏବେ ସମସ୍ତଙ୍କ ସାମ୍ନାରେ ।
ତେବେ ପରିସ୍ଥିତି ଯଦି ଲକ୍ଷ୍ୟ ସ୍ଥଳରୁ ଓହରିବାକୁ ବାଧ୍ୟ କରୁଛି, ସେଠାରେ ହାର ନମାନି କାର୍ତ୍ତିକଙ୍କ ପରି ଆଗକୁ ଆଗେଇ ଚାଲନ୍ତୁ । ଆଉ କିଛି ଭଲ କରିବାର ଇଚ୍ଛାଶକ୍ତି ଏବଂ ସାହସ ଦିନେ ନା ଦିନେ ସଫଳତାର ଶୀର୍ଷରେ ନିଶ୍ଚୟ ପହଞ୍ଚାଇବ ।