ଦୁନିଆର ପ୍ରତିଟି ବାପା ଚାହାଁନ୍ତି ତାଙ୍କ ସନ୍ତାନ ତାଙ୍କଠାରୁ ଆଉ ଦୁଇ ପାଦ ଆଗକୁ ବଢୁ । ସମାଜରେ ତାଙ୍କଠାରୁ ବି ଅଧିକ ନାଁ କରୁ , ନିଜ ଗୋଡ଼ରେ ଛିଡ଼ା ହୋଇ ସଫଳତାର ସିଡ଼ି ଚଢୁ । ଏଥିପାଇଁ ପିଲାଟି ବେଳୁ ହିଁ ପରିବାର ସନ୍ତାନକୁ ଉଚିତ୍ ଶିକ୍ଷା ଓ ସଂସ୍କାର ଦେଇ ଗଢିବାରେ ଲାଗିପଡ଼ିଥାନ୍ତି । ହେଲେ କାହା ଭାଗ୍ୟରେ କ’ଣ ଲେଖାହୋଇଛି କିଏ ଜାଣେ ! ମଣିଷ ଚାହୁଁଥିବା ପ୍ରତିଟି ସ୍ୱପ୍ନ ଯଦି ପୁରଣ ହେଇଯାଉଥାନ୍ତା ତାହେଲେ ବୋଧହୁଏ ମଣିଷ ଭଗବାନଙ୍କୁ ସ୍ମରଣ କରିବା ଭୁଲିଯାଆନ୍ତା । 

Advertisment

Bishnoi

ଏମିତି ହିଁ ସ୍ୱପ୍ନର ତାଜମହଲ ଗଢିଥିଲେ ଲରେନ୍ସ ବିଷ୍ଣୋଇଙ୍କ ପିତା ଲଖବୀର ସିଂହ ବିଷ୍ଣୋଇ । ହରିୟାଣା ପୁଲିସରେ ୫ ବର୍ଷ କନଷ୍ଟେବଳ ଚାକିରି କରି କୃଷି ଆଡ଼କୁ ମନ ବଳାଇଥିଲେ ଲଖବୀର । ୧୯୯୩ ମସିହା ଫେବୃୟାରୀ ୧୨ ତାରିଖରେ ପଞ୍ଜାବର ଫିରୋଜପୁର ଗାଁରେ ଜନ୍ମ ହୋଇଥିବା ଶିଶୁପୁଅର ଚମକଦାର ଚେହେରାକୁ ଦେଖି ମା’ ବଡ଼ ଶ୍ରଦ୍ଧାରେ ନାଁ ଦେଇଥିଲେ ଲରେନ୍ସ । ଗାଁରେ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢି ଉଚ୍ଚଶିକ୍ଷା ପାଇଁ ଚଣ୍ଡିଗଡ଼ ଏବଂ ୨୦୧୧ ରୁ ୨୦୧୨ ମଧ୍ୟରେ ପଞ୍ଜାବ ୟୁନିଭର୍ସିଟିରେ ଓକିଲାତି ପାଠ ପଢିଥିଲେ ଲରେନ୍ସ । ପୁଅକୁ ଆଇପିଏସ୍ ଅଧିକାରୀ ରୂପରେ ଦେଖିବାକୁ ଇଚ୍ଛା ରଖିଥିବା ବାପା ଲରେନ୍ସକୁ ଭଲ ବାଟରେ ଆଣିବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ୟୁନିଭର୍ସିଟିରେ ଛାତ୍ର ସଂଗଠନ (ଏସଓପିୟୁ) ତିଆରି କରିବା ସହ ସେ ସଂଗଠନର ଅଧ୍ୟକ୍ଷ ମଧ୍ୟ ଥିଲେ । ଏସଓପିୟୁର ଛତ୍ରଛାୟା ତଳେ ସେ ଛାତ୍ରସଂଘର ନିର୍ବାଚନ ଲଢିଥିଲେ କିନ୍ତୁ ବହୁ ଚେଷ୍ଟା କରି ମଧ୍ୟ ହାରିଯାଇଥିଲେ । ପରାଜୟର କଷ୍ଟକୁ ସହି ନପାରି ପ୍ରତିଶୋଧ ନେବା ପାଇଁ ବନ୍ଧୁକ କିଣିଲେ । ବିଜୟ ଟିମ୍ ସହ ସାମ୍ମାସାମ୍ମି ବେଳେ ବନ୍ଧୁକ ଫୁଟାଇ ଆତଙ୍କ ରଚିଲେ । ଏହି ସମୟରେ ତାଙ୍କର ସାକ୍ଷାତ ଗୋଲ୍ଡି ବରାଡ୍ ସହ ହୋଇଥିଲା । ଗୋଲ୍ଡିଙ୍କ ସହ ମିଶିବା ପରେ ଲରେନ୍ସ ଅପରାଧର ଦୁନିଆରେ ପାଦ ଦେଲେ । ପୁଅକୁ ଆଇପିଏସ୍ କରିବାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ବାପା ପୁଅକୁ ୟୁନିଫର୍ମରେ ଦେଖିବାକୁ ଇଚ୍ଛା କରିଥିଲେ ହେଲେ ପୁଅ ହାତରେ ବନ୍ଧୁକ ଧରି ଆତଙ୍କ ରଚିଲା ।

goldi

୨୦୧୦ ରୁ ହତ୍ୟା,ଜମି ଜବରଦଖଲ,ସୁପାରୀ,ମଦ ତସ୍କରି,ଡ଼କାୟତି ଏଭଳି ଅନେକ ଅସାମାଜିକ କାମରେ ଲିପ୍ତ ରହିଥିଲେ ଲରେନ୍ସ । ପୁଲିସ୍ ରିପୋର୍ଟ ଅନୁସାରେ ଲରେନ୍ସ ବିଷ୍ଣୋଇ ବିରୋଧରେ ଚଣ୍ଡିଗଡ଼ରେ ୭ ଟି ଏଫଆଇଆର୍ ରୁଜୁ ହୋଇଥିଲା । ଧିରେ ଧିରେ ନିଜର ସାମ୍ରାଜ୍ୟ ଛିଡ଼ା କରିବା ପାଇଁ ଲରେନ୍ସ ଅନେକ ସାର୍ପ ସୁଟରଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ୍ କଲା । ପଞ୍ଜାବ,ହରିୟାଣା,ରାଜସ୍ଥାନ,ଦିଲ୍ଲୀ ଏବଂ ହିମାଚଳ ପ୍ରଦେଶ ଭଳି ସ୍ଥାନରେ ବିଷ୍ଣୋଇ ଗ୍ୟାଙ୍ଗର ଦବଦବା ରହିଛି । ଯେଉଁଥିରେ ୭୦୦ ରୁ ଅଧିକ ସାର୍ପ ସୁଟର ରହିଥିବା ସୂଚନା ମଧ୍ୟ ମିଳୁଛି । କେବଳ ଭାରତ ନୁହଁ ବିଦେଶ ପର୍ଯ୍ୟନ୍ତ ଲମ୍ବିଛି ବିଷ୍ଣୋଇ ଗ୍ୟାଙ୍ଗର ତାର । ଲରେନ୍ସର ସହଯୋଗୀ ଗୋଲ୍ଡି ବରାଡ୍ ଏବଂ ରୋହିତ୍ ଗୋଦାରା ଭଳି ଅପରାଧୀ ବିଦେଶରେ ବସି ଭାରତରେ ବଡ଼ ବଡ଼ ଅପରାଧ କରୁଛନ୍ତି ।

Lawrence

ମା’ ମମତା ବିଷ୍ଣୋଇ ଏଯାବତ୍ ପୁଅକୁ ଅପରାଧର ଗଳି ଛାଡ଼ି ଘରକୁ ଫେରିଆସିବା ପାଇଁ କହୁଛନ୍ତି । ହେଲେ ଗ୍ୟାଙ୍ଗଷ୍ଟରଙ୍କ ଘରବାହୁଡ଼ା ହୋଇପାରୁନି । ଲରେନ୍ସ ଏବେ ଅହମ୍ମଦାବାଦର ସାବରମତୀ ସେଣ୍ଟ୍ରାଲ୍ ଜେଲରେ ବନ୍ଦି ଅଛନ୍ତି । ରିପୋର୍ଟ ମୁତାବକ , ସେ ଜେଲରେ ବସି ରିମୋର୍ଟ ଦବାଉଛନ୍ତି ଆଉ ଅପରାଧର ବିସ୍ଫୋଟକ ବାହାରେ ଫୁଟୁଛି । ୨୦୧୪ ରେ ପ୍ରଥମଥର ପାଇଁ ତାଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଥିଲା । କିନ୍ତୁ ମୋହାଲୀରୁ ସେ ଫେରାର୍ ହୋଇଯାଇଥିଲେ । ପରେ ୨୦୧୬ ରେ ପୁଣିଥରେ ତାଙ୍କୁ ଗିରଫ କରାଗଲା । ଏବେ ଲରେନ୍ସଙ୍କ ଉପରେ ୫୦ ରୁ ଅଧିକ ମାମଲା ରହିଛି । 

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଉପରେ ବହୁ ବଡ଼ ବଡ଼ ଅଭିଯୋଗ ଲାଗିଛି । ଯେଉଁଥିରେ ୨୦୧୮ରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନଙ୍କୁ ହତ୍ୟାର ଷଡ଼ଯନ୍ତ୍ର ରଚିବାର ଅଭିଯୋଗ । ୨୦୨୨ ମେ ୨୯ ତାରିଖରେ ପଞ୍ଜାବର ମାନସାରେ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟାର ଅଭିଯୋଗ । ୨୦୨୩ ଡିସେମ୍ବର ୫ ରେ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡିଙ୍କୁ ହତ୍ୟା ଅଭିଯୋଗ । ୨୦୨୪ ଅପ୍ରିଲ୍ ୧୪ ତାରିଖରେ ସଲମାନ୍ ଖାନଙ୍କ ଘର ଗାଲାକ୍ସି ଉପରେ ଫାୟାରିଙ୍ଗର ଅଭିଯୋଗ । ୨୦୨୪ ଅକ୍ଟୋବର ୧୨ ରେ ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଅଭିଯୋଗର ଭାର ବିଷ୍ଣୋଇ ଗ୍ୟାଙ୍ଗର ମୁଣ୍ଡରେ ରହିଛି ।