କନକ ବ୍ୟୁରୋ: ଦୃଢ଼ ଇଚ୍ଛାଶକ୍ତି ଏବଂ ପରିଶ୍ରମ ସଫଳତା ଆଣିଥାଏ । ସ୍ୱାବଲମ୍ବୀ ହେବା ପାଇଁ ସଙ୍କଳ୍ପ ନେଲେ ପ୍ରତିକୂଳ ପରିସ୍ଥିତି ବି ହାର ମାନିଥାଏ । ଯାହାର ଉଦାହରଣ ହେଉଛନ୍ତି ଝାରସୁଗୁଡ଼ା ଲଖନପୁର ବ୍ଲକ ବଞ୍ଜରୀ ଗାଁର ପଦ୍ମାବତୀ ଭୋଇ । ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି । ହେଲେ ପାଳଛତୁ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏହାସହ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ମହିଳା ଓ ଯୁବତୀମାନଙ୍କୁ ଏହି ଚାଷର ତାଲିମ ଦେଉଛନ୍ତି । ସେ ତାଙ୍କ ପରିଶ୍ରମ ବଳରେ ଜଣେ ସଫଳ ଚାଷୀ ତଥା ବ୍ୟବସାୟୀ ହୋଇଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ୬ରୁ ୭ ଜଣଙ୍କୁ ରୋଜଗାର ଦେଇଛନ୍ତି । ତାଙ୍କର ଏହି ସଫଳତା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି ।
ପଦ୍ମାବତୀଙ୍କ ରାସ୍ତା ବେଶ୍ କଷ୍ଟସାଧ୍ୟ ଥିଲା । କିଛି ରୋଜଗାର ପାଇଁ ସ୍ୱପ୍ନ ଦେଖିଥିଲେ, କିନ୍ତୁ ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ ପଢ଼ିଥିବାରୁ ଚାକିରି ମିଳିନଥିଲା । ଜମିବାଡ଼ି ଅଳ୍ପ ଥିବାରୁ ଚାଷ ମଧ୍ୟ କରିପାରୁ ନଥିଲେ । ୨୦୦୯ ମସିହାରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବଞ୍ଜରୀ ଗାଁରେ ଯୁବତୀମାନଙ୍କୁ ଛତୁଚାଷ ତାଲିମ ଦିଆଯାଇଥିଲା । ସେଠାରୁ ଛତୁ ଚାଷ ଶିଖିଥିଲେ ପଦ୍ମାବତୀ । ପରୀକ୍ଷାମୂଳକ ଭାବରେ ମାତ୍ର ଗୋଟିଏ ବେଡ୍ରେ ଆରମ୍ଭ କରିଥିଲେ ଛତୁଚାଷ । ଆଉ ପଛକୁ ଫେରି ନଥିଲେ । ମାତ୍ର ଗୋଟିଏ ବେଡ୍ରୁ ଛତୁ ଚାଷ ଆରମ୍ଭ କରିଥିବା ବେଳେ ଏବେ ୧୨୦୦ରୁ ଅଧିକ ବେଡ୍ରେ ଚାଷ କରୁଛନ୍ତି ।
ମାତ୍ର ୧୬ ଡେସିମିଲ ଜମିରେ ୩ଟି କୁଡ଼ିଆ ଘର କରି ଦୈନିକ ୨୫ରୁ ୩୦ କେଜି ଛତୁ ଉତ୍ପାଦନ କରୁଛନ୍ତି । ଛତୁ କେଜି ପ୍ରତି ୩୦୦ ଟଙ୍କାରେ ବିକ୍ରି ହେଉଛି । ବର୍ଷକୁ ପ୍ରାୟ ୭-୮ ମାସ ଦେଶୀ ପାଳଛତୁ ଉତ୍ପାଦନ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ପଦ୍ମାବତୀ ।
କେମିତି ହୁଏ ପାଳ ଛତୁ ଚାଷ?
ଛତୁ ଚାଷ ପାଇଁ ପାଳ, ନଡ଼ା, ଛତୁମଞ୍ଜି, ବେସନ, ପାଣି ଆବଶ୍ୟକ
ପ୍ରଥମେ ଚାଷୀଙ୍କଠାରୁ ପାଳ ଏବଂ ନଡ଼ା ଆଣନ୍ତି ପଦ୍ମାବତୀ
ପାଳ ଏବଂ ନଡ଼ାକୁ ସମାନ ସାଇଜ୍ରେ କାଟନ୍ତି
୧୦୦ ଲିଟର ପାଣିରେ ୭ ଗ୍ରାମ୍ ବରିଷ୍ଟିନ୍ ଦେଇ ବିଡ଼ା ବାନ୍ଧନ୍ତି
୬-୮ ଘଣ୍ଟା ଭିଜିବା ପରେ ତାକୁ ଛାଣି ପାଣି ନିଗାଡ଼ି ଦିଆଯାଏ
ବେଡ୍ ପକାଇବା ପୂର୍ବରୁ ସେହି ସ୍ଥାନକୁ ବ୍ଲିଚିଂ ପାଉଡରରେ ବିଶୋଧନ କରନ୍ତି
ଏହା ପରେ ଗୋଟିଏ ବେଡ୍ରେ ୨୦୦ ଗ୍ରାମ୍ ବେସନ ଦେଇ ଛତୁ ମଞ୍ଜି ପକାନ୍ତି
ଏହା ପରେ ବେଡ୍କୁ ପଲିଥିନ୍ରେ ଘୋଡ଼ାଇ ରଖନ୍ତି
ମଞ୍ଜି ପକାଇବାର ୧୦ ଦିନ ମଧ୍ୟରେ ପାଳ ଛତୁ କଢ଼ ହୋଇଥାଏ
୧୨ରୁ ୧୫ ଦିନ ମଧ୍ୟରେ ଉତ୍ପାଦନକ୍ଷମ ହୋଇଥାଏ
ମଞ୍ଜି ପକାଇବାର ୧୫ ଦିନ ମଧ୍ୟରେ ଛତୁ ବିକ୍ରି ଉପଯୋଗୀ ହୋଇଯାଏ
ଗୋଟିଏ ବେଡ୍ ପ୍ରତି ୫୦ରୁ ୬୦ ଟଙ୍କା ଖର୍ଚ୍ଚ ହୁଏ
ଅଧକେଜିରୁ ୧ କେଜି ପର୍ଯ୍ୟନ୍ତ ଛତୁ ଉତ୍ପାଦନ ହୋଇଥାଏ
ଯାହାର ମୂଲ୍ୟ ୧୫୦ରୁ ୩୦୦ ଟଙ୍କା
ପଦ୍ମାବତୀ ଛତୁ ମଞ୍ଜିକୁ ଭୁବନେଶ୍ୱରରୁ କିଣୁଛନ୍ତି । ନିଜେ ଚାଷ କରିବା ସହ ସ୍ଥାନୀୟ ଅଞ୍ଚଳରେ ଛତୁମଞ୍ଜି ମଧ୍ୟ ବିକ୍ରି କରନ୍ତି । ଫାର୍ମରେ ପଦ୍ମାବତୀ ୫ - ୭ ଜଣଙ୍କୁ ନିଯୁକ୍ତି ଦେଇଥିବା ବେଳେ ସ୍ୱାମୀ, ପୁଅ, ବୋହୂ ତାଙ୍କୁ ସାହାଯ୍ୟ କରୁଛନ୍ତି । ଏହି ଚାଷରୁ ପଦ୍ମାବତୀ ସ୍ୱାବଲମ୍ବୀ ହେବା ସହ ପରିବାର ଚଳାଉଛନ୍ତି । ପିଲାଙ୍କ ପାଠପଢାଠୁ ନେଇ ନୂଆ ଘର ତିଆରି ସବୁ କିଛି ହୋଇଛି ବୋଲି କହିଛନ୍ତି ପଦ୍ମାବତୀ ।